ବ୍ଲକ ସ୍ତରୀୟ ସୁନାମି ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ସୁନାମି ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅବସରରେ ଗତକାଲି ଗଞ୍ଜାମ ବ୍ଲକ ସଭା ଗୃହଠାରେ ସୁନାମି ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ବିଡ଼ିଓ ତଥା ଆଇଏଏସ୍‌ ଏମ୍‌. ଏସ୍‌ ମଧୁମିତା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସହଯୋଗ ସତର୍କତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଓସ୍ଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁପ୍ରସାଦ ମହାପାତ୍ର, ଡବ୍ଲ୍ୟୁଇ ଓ ପ୍ରକାଶ ନାୟକ ପ୍ରମୁଖ ମଂଚାସୀନ ଥିଲେ । କାମଧେନୁ ସେବାଶ୍ରମ ସମ୍ପାଦକ ଟୁନା ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରୁଣା ଅନୁଭୂତିକୁ ପାଳିବନ୍ଧ ସରପଞ୍ଚ ଦିଲିପ କୁମାର ଛୋଟରାୟ ଉପସ୍ଥାପନ କରିଥିଲେ । ସୁନାମି ଆସିବା ଲକ୍ଷଣ, ସୁନାମି ପ୍ରସ୍ତୁତି, ସୁନାମିରୁ ସୁରକ୍ଷା ଉପାୟ ଏବଂ ଏହାର ମୁକାବିଲା ସମ୍ପର୍କରେ ଟିଭି ସ୍କ୍ରିନ ମାଧ୍ୟମରେ ଉପସ୍ଥିତ ଜନପ୍ରତିନିଧି, ଓଡ୍ରାଫ ଟିମକୁ ସଚେତନ କରାଯାଇଥିଲା । ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଓ ସମୁଦ୍ର ନିକଟବର୍ତୀ ଅଞ୍ଚଳର ଲୋକମାନଙ୍କୁ ସୁନାମି ଆସିବାର ପ୍ରାକ୍‌ ସୂଚନା ମିଳିବା ପରେ କିପରି ସତର୍କତା ଅବଲମ୍ବନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଗ୍ରାମ ଗୁଡିକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଲୋକମାନଙ୍କୁ ରଖାଯାଇ ସେମାନଙ୍କ କିପରି ଦାୟିତ୍ୱ ନିଆଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି । ସୁନାମି ଆସିବା ସୂଚନା ପାଇବା ପରେ ତୁରନ୍ତ ଉପକୂଳ ଅଞ୍ଚଳରୁ ବିପରୀତ ଦିଗରେ ଦୁଇ କି.ମି.ରୁ ଅଧିକ ଦୂର ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଆଶ୍ରୟ ସ୍ଥଳକୁ ଯିବା ଲାଗି ସୁରକ୍ଷିତ ରାସ୍ତା ବ୍ୟବହାର, ନିଜ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଓ କାଗଜ ପତ୍ର ସାଙ୍ଗରେ ନେଇଯିବା, ବାତ୍ୟା ସମୟରେ ସମୁଦ୍ର ମଧ୍ୟରେ ଡ଼ଙ୍ଗାରେ ଥିଲେ କୂଳକୁ ନ ଆସି ଗଭୀର ସମୁଦ୍ର ମଧ୍ୟକୁ ଚାଲି ଯିବାକୁ ଏବଂ ସୁନାମି ବିପଦ ନ ଟଳିବା ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳୀରେ ହିଁ ରହିବା ଏବଂ ଧର୍ଯ୍ୟର ସହ ଏହାର ମୁକାବିଲା କରିବା ସହ ନିଜେ ସୁରକ୍ଷିତ ଓ ଅନ୍ୟକୁ ସୁରକ୍ଷା ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅମୂଲ୍ୟ ଦଳାଇ, ବ୍ଲକ ପ୍ରୋଗ୍ରାମ ଅଫିସର ଜଳନ୍ଧର ମହାରଣା, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି କର୍ମକର୍ତ୍ତା, ଛତ୍ରପୁର ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ଓଡ୍ରାପ କର୍ମଚାରୀ, ପିଆର୍‌ଆଇ ମେମ୍ବର, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.