centurian jitm

ଶୁଲିଆ ଯାତ୍ରା ଆଜି : ବଳି ପାଇଁ ଖଳା ପ୍ରସ୍ତୁତ : ଖୋଲିବନି ଦୋକାନ ବଜାର

nschool

. ରାତିରେ ଶେଷ ହେଲା ନିଶିପୂଜା
. ଉପଜିଲ୍ଲାପାଳଙ୍କ ଶେଷ ସମୀକ୍ଷା
. ଶୃଂଖଳା ପାଇଁ ଜଗି ରହିବେ ୩ ମାଜିଷ୍ଟ୍ରେଟ୍‌, ଜଣେ ଡ଼ିଏସ୍‌ପି
. କୋଭିଡ଼ କଟକଣାରେ ହେବ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ପ୍ରତୀକ୍ଷିତ ଶୁଲିଆ ଯାତ୍ରା ପାଇଁ ସୋମବାର ରାତିରେ ନିଶିପୂଜା ଅନୁଷ୍ଠିତ ହୋଇଯାଇଛି । ଏପଟେ ସକାଳୁ ବଲି ପାଇଁ ଖଳା ପ୍ରସ୍ତୁତ ହୋଇ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଯାତ୍ରା କମିଟି ଓ ପ୍ରଶାସନକୁ ନେଇ ବଡ଼ଖଳାରେ ଏକ ବୈଠକ ହୋଇଯାଇଛି । ଯାତ୍ରାସ୍ଥଳରେ ଦୋକାନ ବଜାର ନ ବସାଇ ଭିଡ଼ କମାଇ କୋଭିଡ଼ କଟକଣାରେ ଯାତ୍ରା କରିବାକୁ ଉପଜିଲ୍ଲାପାଳ ଯାତ୍ରା ପରିଚାଳନା କମିଟିକୁ କହିଥିଲେ । ମଙ୍ଗଳବାର ଦିନ ଭୋରରୁ ଖଇରଗୁରା ଗାଁ ଭତରେ ଥିବା ମନ୍ଦିରରୁ ‌ପାଟ ବୋଦା ସହ ମୁଖ୍ୟ ପୂଜକ ଓ ଭୋଗ ଯିବ ବୋଲି କମିଟି ପକ୍ଷରୁ କୁହାଯାଉଛି । ହେଲେ ପ୍ରଶାସନ ପକ୍ଷରୁ କୋଭିଡ ନିୟମ କିପରି ରହିବ, ଆଦିବାସୀ ତଥା ଶ୍ରଦ୍‌ଦ୍ଧାଳୁଙ୍କ ଭାବାବେଗକୁ କିପରି ସମ୍ମାନ ଦିଆଯିବ ତାହାକୁ ନେଇ ସୋମବାର ସନ୍ଧ୍ୟା ୪ଟା ସମୟରେ ଶୁଲିଆ ପୀଠରେ ବଲାଙ୍ଗିର ଉପଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଦେଓଗାଁ ତହସିଲଦାର ନାରାୟଣ ସାହୁ, ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ, ତୁଷୁରା ଆଇଆଇସି ଯ‌ୋଶବନ୍ତ ପ୍ରଧାନୀ, ପାନୀୟ ଜଳ ଯୋଗାଣ କନି‌ଷ୍ଠ ଯନ୍ତ୍ରୀ ବନୀତା ବେହେରା, ତୁଷରା ଅବକାରୀ ନିରୀକ୍ଷକ ଆରତୀ କିଶାନ, ଏସ୍‌ଆଇ ତୁଲସୀରାମ ଶବର, କୁଲୁତାପଡ଼ା ଇଓ ଲିଙ୍ଗରାଜ ସୁନା, ଆଦିବାସୀ ନେତା ମୟ ପ୍ରଧାନୀ, ବଲାଙ୍ଗିର ବିଧାୟକ ପ୍ରତିନିôଧ କାନ୍ତେଶ୍ବର ପଧାନ, କଂଗ୍ରେସ ଯୁବନେତା ପପୁ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶୁଲିଆ ଯାତ୍ରାରେ କୌଣସି ପ୍ରକାର ବିଭ୍ରାଟ ନ ହେବା ସହ କୋଭିଡ଼ ଆଇନକୁ କାର୍ୟ୍ୟକାରୀ କରାଯିବାକୁ ୩ ଜଣ ମାଜିଷ୍ଟ୍ରେଟ୍ ଓ ବଲାଙ୍ଗିର ପୁଲିସ ପ୍ରଶାସନ ପକ୍ଷରୁ ୨ ପ୍ଳାଟୁନ ଫୋର୍ସ, ୩ଜଣ ଇନିସପେକ୍ଟର, ଜଣେ ଡିଏସପି ଓ ୫୦ଜଣ ହୋମଗାର୍ଡ଼ ନିଯୁକ୍ତି ହେବେ ବୋଲି ଆଇଆଇସି ଶ୍ରୀ ପ୍ରଧାନୀ ସୂଚନା ଦେଇଛନ୍ତି ।

ସେମାନେ ଯାହା କହନ୍ତି:-

ଦେବାଶିଷ ବେହେରା, ଏସ୍‌.ରାମପୁର
ଦେଓଗାଁ ବ୍ଲକର ଶୁଲିଆ ଯାତ୍ରାକେ ଆମେ ଫି’ ବର୍ଷ ଆଏସୁ । ସେଥିର୍‌ ଲାଗି ଇଥର ବି ୯୦ କିଲୋମିଟର ଦୂରୂ ସୁବର୍ଣ୍ଣପୁର ଜିଲ୍ଲା ଏସ୍‌. ରାମପୁର ନୁ ଆସୁଛୁଁ । ସକାଲୁ ଆଏଲା ପରେ ଗଜ ତଲେ ରାନ୍ଧି ଖାଉଛୁଁ । ହେଲେ ପ୍ରଶାସନ ଯାତ୍ରା ପୀଠ୍‌ ନେ ଦୁକାନ ଖୋଲବାର ଲାଗି ବାରଣ କରିଛେ । ପରିସ୍ଥିତି ଦେଖି ବେପାର କରମୁ ।

ଅକ୍ଷୟ ଦୀପ, ଡ଼ୁଙ୍ଗରୀପାଲି, ସୁବର୍ଣ୍ଣପୁର
ଶୁଲିଆ ଯାତ୍ରାକେ ବେପାର କରିବର ଲାଗି ମୋର ବାପାର ସାଙ୍ଗେ ଆସିଛେଁ । ଇନେ ଖେଲ୍‌ନା ବିକ୍‌ମି ବଲିକରି ଟେଣ୍ଟ ମାରୁଥିଲା ବେଲ୍‌କେ ଯାତ୍ରା କମିଟି ଆର୍‌ ପୁଲିସ ମନା କରୁଛେ । ସେଥିର୍‌ ଲାଗି ଇନୁ ଦୁରକେ ଯାଇକରି ଦୁକାନ ଖୁଲିକରି ବେପାର କରମୁ । ଯଦି ନିହେବା ବଏଲେ ଯାତ୍ରା ଦେଖିକରି ଘରକେ ପଲାମୁ ।

ପ୍ରକାଶ କୁଅଁର, ଖଇରଗୁରା
ଗଲାବର୍ଷ ଯାତ୍ରା ହେଇଥିଲା ଯେ ବେଭାର ହେଇ ସାରିଥିବାର୍‌ ନଡ଼ିଆ କାତି ଆରୁ ଧୋପଖାଡ଼ି ପଡ଼ି ରହିଛେ । କିହେ ଜନେ ବି ସଫା ସୁତର୍‌ କରି ନି ଆସବାର । ଗଲା ୩ ବର୍ଷ ହେଲାନ’ ପିଇବାର ପାଏନ ଲାଗି ଖୁଲା ହେଇଥିବାର ପାତାଲ ବୋରିଙ୍ଗ କେ ହାତି ମାଡ଼ି ଦେଇଛେ ଯେ ସେଟା ଅଚଲ ହେଇ ପଡ଼ିଛେ । ଯାତ୍ରା ସରିଗଲେ କାହାରିର୍‌ ଦେଖା ଦର୍ଶନ ନି ମିଲବାର୍‌ ।

Leave A Reply

Your email address will not be published.

error: Content is protected !!