● ଜୁନାଗଡ଼ ଏବଂ ନବରଙ୍ଗପୁର, ନବରଙ୍ଗପୁର-ଜୟପୁର, ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି
● 2025-26ରେ ଓଡ଼ିଶାକୁ 13 ଗୁଣ ଅଧିକ 10,599 କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ଜୁନାଗଡ଼ ଓ ନବରଙ୍ଗପୁର ନୂଆ ରେଳ ଲାଇନ, ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପ୍ରକଳ୍ପ ସମେତ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ବିଷୟରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି।
ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ, ଜୁନାଗଡ଼ ଏବଂ ନବରଙ୍ଗପୁର (116 କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାମ ପାଇଁ 2,865 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପରେ 376.64 ହେକ୍ଟର ଘରୋଇ ଜମି ଅଧିଗ୍ରହଣ, 58.87 ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ 351.68 ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି। ଜମି ଅଧିଗ୍ରହଣ ପାଇଁ କ୍ଷମତାପ୍ରାପ୍ତ ପ୍ରାଧିକରଣ (ସିଏଏଲଏ) ନିଯୁକ୍ତ କରାଯାଇଛି ଏବଂ ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି।
ରେଳ ମନ୍ତ୍ରୀ କହିଛନ୍ତି, ନବରଙ୍ଗପୁର-ଜୟପୁର (41 କିଲୋମିଟର) ନୂତନ ଲାଇନ ପ୍ରକଳ୍ପକୁ 748 କୋଟି ଟଙ୍କା ଅଟକଳ ସହିତ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ 291.87 ହେକ୍ଟର ଘରୋଇ ଜମି ଅଧିଗ୍ରହଣ, 33.59 ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ 13.47 ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ପାଇଁ ଜମି ଓଡ଼ିଶା ସରକାର ଯୋଗାଇବାକୁ ଥିବାରୁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ, ମୋଟ 338.94 ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ 12.41 ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ଇନ୍ଦ୍ରାବତୀ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି।
ସେହିପରି ଜୟପୁର-ମାଲକାନଗିରି (130 କିଲୋମିଟର) ନୂତନ ରେଳ ଲାଇନ ପ୍ରକଳ୍ପକୁ 2,344 କୋଟି ଟଙ୍କା ବ୍ୟୟବରାଦ ଆଧାରରେ ଖର୍ଚ୍ଚ ସହଭାଗିତା ଭିତ୍ତିରେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ 505.43 ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, 169.68 ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ 452.71 ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି। ଏପର୍ଯ୍ୟନ୍ତ, ମୋଟ 1,127.82 ହେକ୍ଟର ଆବଶ୍ୟକ ଜମି ମଧ୍ୟରୁ 167.39 ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶ୍ରୀ ବୈଷ୍ଣବ ଆହୁରି ସୂଚନା ଦେଇଛନ୍ତି ଯେ, ମାଲକାନଗିରି – ପାଣ୍ଡୁରଙ୍ଗପୁରମ ଭାୟା ଭଦ୍ରାଚଳମ ଷ୍ଟେସନ (174 କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ କାର୍ଯ୍ୟ 3,592 କୋଟି ଟଙ୍କାରେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପରେ 403.23 ହେକ୍ଟର ବ୍ୟକ୍ତିଗତ ଜମି ଅଧିଗ୍ରହଣ, 77.76 ହେକ୍ଟର ସରକାରୀ ଜମି ପୃଥକୀକରଣ ଏବଂ 320.25 ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପକୁ ଜମି ଅଧିଗ୍ରହଣ ପାଇଁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବରେ ଅଧିସୂଚିତ କରାଯାଇଛି। ଜମି ଅଧିଗ୍ରହଣ ପାଇଁ ସକ୍ଷମ ପ୍ରାଧିକରଣ (ସିଏଏଲଏ) ନିଯୁକ୍ତ କରାଯାଇଛି ଏବଂ ଜମି ଅଧିଗ୍ରହଣ ହାତକୁ ନିଆଯାଇଛି।
ରେଳ ମନ୍ତ୍ରୀ କହିଛନ୍ତି, 2009-2014 ମଧ୍ୟରେ ଓଡ଼ିଶାକୁ ମାତ୍ର 838 କୋଟି ଟଙ୍କାର ରେଳ ବଜେଟ୍ ମିଳିଥିବା ବେଳେ କେବଳ 2025-26ରେ ଏହାର ପ୍ରାୟ 13 ଗୁଣ ଅଧିକ 10,599 କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ କରାଯାଇଛି। ସେହିପରି 2009-14 ମଧ୍ୟରେ 267 କିଲୋମିଟର ନୂଆ ରେଳ ଟ୍ରାକ୍ କାମ ହୋଇଥିବା ବେଳେ ବାର୍ଷିକ ହାରାହାରୀ ରେଳ ଲାଇନ୍ ନିର୍ମାଣ 53.4 କିଲୋମିଟର ଥିଲା। ଅନ୍ୟପଟେ 2014-25 ମଧ୍ୟରେ 2150 କିଲୋମିଟର ରେଳ ଟ୍ରାକ୍ ନିର୍ମାଣ କରାଯାଇଛି, ଅର୍ଥାତ୍ ବାର୍ଷିକ ହାରାହାରୀ ନୂଆ ରେଳ ଲାଇନ ନିର୍ମାଣ 195.45 କିଲୋମିଟର ରହିଛି, ଯାହାକି 3.5 ଗୁଣ ଅଧିକ ।
ଏପ୍ରିଲ୍ 2025 ସୁଦ୍ଧା 67,496 କୋଟି ଟଙ୍କା ବ୍ୟୟରେ 19ଟି ନୂଆ ରେଳ ଲାଇନ ଏବଂ 30ଟି ରେଳ ଲାଇନର ଦୋହରୀକରଣ ସମେତ ମୋଟ୍ 4,010 କିଲୋମିଟରର 49ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏଥିମଧ୍ୟରୁ 28,043 କୋଟି ଟଙ୍କା ବ୍ୟୟରେ 1429 କିଲୋମିଟର ଲମ୍ବ ରେଳ ଲାଇନ କାମ ଶେଷ ହୋଇସାରିଛି । ନିକଟରେ 11ଟି ରେଳ ଲାଇନ୍ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହାବ୍ୟତୀତ 21ଟି ରେଳ ଲାଇନ୍ କାମ ବର୍ତ୍ତମାନ ଜାରି ରହିଛି । ଗତ ତିନି ବର୍ଷ ମଧ୍ୟରେ 4,843 କିଲୋମିଟର ଲମ୍ବ ମୋଟ୍ 30ଟି ନୂଆ ରେଳ ଲାଇନ ଏବଂ 46ଟି ରେଳ ଲାଇନର ଦୋହରୀକରଣ ପାଇଁ ସର୍ଭେ କରାଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।