- ବୀରବାଦ୍ୟ ଘୁମରା, ବାଘନାଚ, ସମର କଳା ଓ ସାନ୍ତାଳୀ ନୃତ୍ୟ ପାଲଟିଲା ବିଶେଷ ଆକର୍ଷଣ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ୍ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚରେ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାରଙ୍କୁ ଏକତ୍ରିତ କରି ବୋଡ଼ାସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ ପ୍ରାନ୍ତର ସଂସ୍କୃତିକୁ ଏକ କରି ବିଶ୍ୱ ଦରବାରକୁ ପହଞ୍ଚାଇବା ପାଇଁ ଏହି ମହୋତ୍ସବର ଆୟୋଜନ । ସ୍ଥାନୀୟ ଲୋକ ସଂସ୍କୃତି ପରମ୍ପରା, ଲୋକ ନୃତ୍ୟ, ଗୀତ ସମେତ ଲୁପ୍ତ ହେବାକୁ ବସୁଥିବା ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତକୁ ପ୍ରାଧାନ୍ୟ ଦେଇ ଗତ ୪ ବର୍ଷ ହେବ ଟାଉନ କ୍ଲବ ତରଫରୁ ଆୟୋଜିତ ହୋଇ ଆସୁଛି ପଦ୍ମପୁର ଲୋକ ମହୋତ୍ସବ । ତେବେ ଏଥର ପଞ୍ଚମ ଥର ପାଇଁ ଟାଉନ୍ କ୍ଲବ ପକ୍ଷରୁ ପାଞ୍ଚ ଦିନ ଧରି ମହୋତ୍ସବ ଆୟୋଜିତ ହେଉଛି । ତେବେ ଏନେଇ ଆଜି ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହୋଇଯାଇଛି ମହୋତ୍ସବ । ପାରମ୍ପରିକ ଗଣାବାଜା, ଘୁଡକା ଆଦି ପ୍ରାୟ ୧୮ ଗୋଟି ସ୍ଥାନୀୟ ସାଂସ୍କୃତିକ ଦଳ ସହ କେଉଁଝରର ସାନ୍ତାଳୀ ନୃତ୍ୟ, ବ୍ରହ୍ମପୁରର ବାଘନାଚ, ଧର୍ମଗଡ଼ର ବୀରବାଦ୍ୟ ଘୁମୁରା ସହ ପୁରୀର ସମରକଳା ଓ ଛତିଶଗଡ ବିଳାସପୁର ପରି ବାହାର ରାଜ୍ୟର ଲୋକନୃତ୍ୟ ମଧ୍ୟ ଏହି ଶୋଭାଯାତ୍ରାରେ ସ୍ଥାନ ପାଇଥିବା ବେଳେ ମୋଟ ୨୫ରୁ ଅଧିକ ଦଳ ସହ ୪୦୦ରୁ ଅଧିକ କଳାକାର ଯୋଗ ଦେଇଥିଲେ । ସେହିପରି ବିଭିନ୍ନ ବିଭାଗ ଏବଂ ସ୍କୁଲ ପକ୍ଷରୁ ବିଭିନ୍ନ ଜନ ସଚେତନତା ତଥା ଦେଶର ବୀରତ୍ୱକୁ ଦର୍ଶାଉଥିବା ଝାଙ୍କି ଯେପରିକି ଜଙ୍ଗଲ ସୁରକ୍ଷା, ସାଇବର ସଚେତନତା, ସ୍ଵଚ୍ଛଭାରତ, ଶ୍ରୀରାମ ଜନ୍ମଭୂମି, ପାରମ୍ପରିକ ଯୋଗ କଳାର ବିଜ୍ଞାନ କୌଶଳକୁ ଦର୍ଶାଉଥିବା ପରି ବହୁ ସୁନ୍ଦର ଝାଙ୍କି ମାନ ମଧ୍ୟ ସ୍ଥାନ ପାଇଥିଲା । ଏହି ଶୋଭାଯାତ୍ରା ସ୍ଥାନୀୟ ଅଶୋକ ପଡିଆରୁ ପୂଜାର୍ଚ୍ଛନା ସହ ଏକତାର ମଶାଲ ପ୍ରଜ୍ୱଳିତ କରି ବାହାରି ସମଗ୍ର ନଗର ପରିକ୍ରମା କରିଥିବା ବେଳେ ବିଶେଷ କରି ବୋଡାସମ୍ବରର ପୁରାତନ ଝାଙ୍କର ପରମ୍ପରା ମଧ୍ୟ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଛି । ପୁରାତନ ବୋଡାସମ୍ବର ଐତିହ୍ୟରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମ୍ପ୍ରଦାୟର ଜଣେ ଜଣେ ଗ୍ରାମ୍ୟ ବା ପ୍ରାନ୍ତ ପୂଜକ ରହୁଥିଲେ ଯାହାଙ୍କୁ ଝାଙ୍କର ନାମରେ ପରିଚୟ ଦିଆଯାଉଥିଲା । ତେବେ ସମୟ ସହ ଏହି ପରମ୍ପରା ହଜିବାକୁ ବସୁଥିବା ବେଳେ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତରଫରୁ ଝାଙ୍କର ଦାୟିତ୍ୱରେ ଥିବା ବର୍ତ୍ତମାନ ପିଢ଼ିର ପ୍ରତିନିଧିଙ୍କୁ ମହୋତ୍ସବରେ ସମ୍ମାନିତ କରିବା ସହ ଶୋଭାଯାତ୍ରାରେ ସ୍ଥାନ ଦିଆଯିବା ଏକ ଉଚ୍ଚକୋଟିର ପ୍ରୟାସ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରମ୍ପରା ଓ ସାଂସ୍କୃତି କୁ ବଞ୍ଚାଇବା ପାଇଁ ହିଁ ମହୋତ୍ସବର ଆୟୋଜନ ବୋଲି କମିଟି ପକ୍ଷରୁ କୁହାଯାଇଥିଲା । ତେବେ ଦୀର୍ଘ ୧୫ ଦିନ ଧରି ବାଣିଜ୍ୟ ମେଳା ମଧ୍ୟ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ସହ ବିଭିନ୍ନ ରାଜ୍ୟର ଖାଦ୍ୟ ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ, ବସ୍ତ୍ର, ଆଭୂଷଣ ପ୍ରଭୃତି ସାମଗ୍ରୀ ବିକ୍ରି ହେଉଛି । ଏହାସହ ମୀନା ବଜାରର ମଧ୍ୟ ମଜା ନେଉଛନ୍ତି ଲୋକେ ।