‘ଜୟ ଓଡ଼ିଶା’ ସଂଘ ଦ୍ଵାରା ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଘ ‘ଜୟ ଓଡ଼ିଶା’ ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ କରାଯାଇଛି । ଏହା ଆଜି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ମୋ’ ପରିବାରର ଆବାହକ ଅରୂପ ପଟ୍ଟନାୟକ ଓ ରମାଦେବୀ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସସେଲର ଶ୍ରୀମତୀ ଅପରାଜିତା ଚୌଧୁରୀ ଏହାର ଉନ୍ମୋଚନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ରମାଦେବୀର ପିଜି କାଉନସିଲ ଚେୟାରମ୍ୟାନ ଚଣ୍ଡୀ ରଥ, ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ଜେନେରାଲ ତଥା ‘ମୁକ୍ତା’ ଯୋଜନାର ଉପଦେଷ୍ଟା କୁମାରୀ ଇପ୍ସିତା ସାହୁ, ବିଜୁ ଯୁବ ଜନତା ଦଳର ସେକ୍ରେଟାରୀ ଅମରଜିତ୍ ଗୋଡ଼ ଓ ରମାଦେବୀ ବିଶ୍ଵବିଦ୍ୟାଳୟର ପିଜି ଛାତ୍ରୀ ସୃଷ୍ଟି ମିଶ୍ର ଉପସ୍ଥିତ ଥିଲେ । ଜନସାଧାରଣଙ୍କ ସେବା ନିମନ୍ତେ ଏହି ଯାନଟି ଭୁବନେଶ୍ୱରର ୪ଟି ରୁଟ୍‌ ଯଥା ବାଣୀବିହାରରୁ ଶିଶୁ ଭବନ ଛକ, କଟକ ରୋଡ୍‌, ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ ଛକ ଏବଂ ଜୟଦେବବିହାର ଛକରୁ ରାଜଭବନ ଛକ ଆଦିରେ ସକ୍ରିୟ ରହିବ । ସହରର ବିଭିନ୍ନ କଲେଜ ଛାତ୍ରଛାତ୍ରୀ, ସଡକରେ ନିରନ୍ତର କାର୍ଯ୍ୟରତ ଅନେକ ଟ୍ରାଫିକ ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିକଟରେ ପହଞ୍ଚି ଜଳସେବା ଯୋଗାଇବା ହେଉଛି ଏହି ଭ୍ରାମ୍ୟମାଣ ଜଳଛତ୍ରର ମୂଳ ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ପ୍ରେରିତ ହୋଇ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଜନସେବାରେ ନିଜକୁ ନିୟୋଜିତ କରି ଲୋକଙ୍କୁ ପ୍ରଚଣ୍ଡ ଖରାରୁ ଟିକେ ମୁକ୍ତି ଦେବା ପାଇଁ ଏହା ହେଉଛି ଏକ ଛୋଟ ପ୍ରୟାସ । ଏହି ଯାନଟି ଜଳ ଆବଶ୍ୟକ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ବାକୁ ଚେଷ୍ଟା କରିବ ଓ ଲୋକଙ୍କୁ ଜଳ ଯୋଗାଇବାରେ ସହାୟକ ହେବ ବୋଲି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।

Leave A Reply

Your email address will not be published.