ସିନାପାଲିରେ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଶୁଭାରମ୍ଭ

ସିନାପାଲି, (ନିରାକାର ମେହେର) : ସିନାପାଲି ଗାୟତ୍ରୀ ଶକ୍ତିପୀଠର ଆନୁକୂଲ୍ୟରେ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ବିରାଟ କଳସ ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଗୁରୁବାର ଶୁଭଉଦ୍‌ଘାଟିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଏକାବନ ଶହ ମହିଳା ପୂର୍ଣ୍ଣ କଳସ, ଏକୋଇଶ ଶହ ପୁରୁଷ ସତ୍ ସାହିତ୍ୟ ଧାରଣ କରିଥିଲେ । ଯଜ୍ଞର ମୁଖ୍ୟ ଯଜମାନ ଗଜାନନ ଅଗ୍ରୱାଲ ଓ ସୁନୀତା ଅଗ୍ରୱାଲ ମୁଖ୍ୟ କଳସ ଏବଂ ସିନାପାଲି ଶକ୍ତିପୀଠର ସଭାପତି ଶଶିଭୂଷଣ ମାଝୀ ଓ ତାଙ୍କ ଧର୍ମପତ୍ନୀ କାଂଚନ ମାଝୀ ଶକ୍ତି କଳସ ଧାରଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ଘଣ୍ଟ, ସଂକୀର୍ତ୍ତନ, ଘୁମୁରା ଆଦି ପାରମ୍ପରିକ ସାଂସ୍କୃତିକ ଦଳ ସହ ବିଭିନ୍ନ ଅନୁଷ୍ଠାନର ପ୍ରଦର୍ଶନୀ ମେଢ଼ ସାମିଲ ହୋଇଥିଲେ । ସକାଳୁ ସମସ୍ତେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଏକତ୍ରିତ ହେବା ପରେ ସେଠାରୁ ଉଦନ୍ତୀ ନଦୀକୁ ଯାଇ ଅଭିମଂତ୍ରିତ ପୂର୍ଣ୍ଣ କଳସ ଧରି ଶୋଭାଯାତ୍ରା ମାଧ୍ୟମରେ ସିନାପାଲି ନଗର ପରିକ୍ରମା କଲା ପରେ ଯଜ୍ଞସ୍ଥଳକୁ ପହଂଚିଥିଲେ । ଏହାପରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ପ୍ରଜ୍ଞା ପୁରୁଷ ପ୍ରଫେସର ପ୍ରମୋଦ ଭଟ୍ଟନାଗର, ବେଦ ଗବେଷକ ଗାୟତ୍ରୀ କିଶୋର ତ୍ରିବେଦୀ, ଡକ୍ଟର ଜିତେଂଦ୍ର ମିଶ୍ରା, ଓଡ଼ିଶା ପ୍ରଭାରି ଶେଷଦେବ ବଢ଼େଇ, ଉପପ୍ରଭାରି ପ୍ରଦୀପ ସାହୁଙ୍କ ଉପସ୍ଥିତିରେ ମହାଯଜ୍ଞର ଶୁଭଉଦ୍‌ଘାଟନ କରାଯାଇଥିଲା । ଏହା ପରେ ସାମୁହିକ ଅନ୍ନ ଭୋଜନ କରାଯାଇଥିଲା । ସଂଧ୍ୟାରେ ଶାନ୍ତିକୁଞ୍ଜରୁ ଆସିଥିବା ଆର୍ନ୍ତଜାତୀୟ ଟୋଲି ଦ୍ୱାରା ଯୁଗ ସଙ୍ଗୀତ ଓ ପ୍ରଜ୍ଞା ପୁରାଣ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ପ୍ରାୟ ପଚାଶ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଏବଂ ମହାମାରୀ କରୋନା ପରେ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଐତିହାସିକ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ଗୁରୁବାର ଠାରୁ ଆସନ୍ତା ରବିବାର ଯାଏଁ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏନେଇ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ମହାଯଜ୍ଞରେ ମୋଟ ୭୫୩ ଜଣ ଦମ୍ପତ୍ତି କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପ୍ରତ୍ୟହ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ଆହୁତି ଦେବେ ବୋଲି ଯଜ୍ଞ କମିଟି ତରଫରୁ ଆକଳନ କରାଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଆସିଥିବା ଗାୟତ୍ରୀ ପରିଜନ ଏବଂ ସ୍ଥାନୀୟ ଶକ୍ତିପୀଠର ଭାଇଭଉଣୀ ଓ ସିନାପାଲି ଅଂଚଳର ବିଭିନ୍ନ ଅନୁଷ୍ଠାନ, ସଂଘ, କ୍ଲବର ହଜାର ହଜାର ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ବ୍ୟାପକତାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.