ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଠାରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ ହେବା ସହ ସୁବର୍ଣ୍ଣପୁର ସହରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଚେତନତା ରଥ ଓ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଅଗ୍ନିଶମ ବିଭାଗର କର୍ମଚାରୀ, ରେଆର ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରିତିନିଧି ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଚେତନତା ଶୋଭାଯାତ୍ରା ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଠାରୁ ବାହାରି ସୋନପୁର ତହସିଲ ଅଫିସ ଛକ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ମଝିପଡ଼ା ଦେଇ ସୋନପୁର ବସଷ୍ଟାଣ୍ଡ, ନଳିନୀ ଛକ ହୋଇ ପୁଣି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରା ସମୟରେ ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ସମ୍ବଳିତ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ ସହିତ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଜିଲ୍ଲା ପଞ୍ଚାୟତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।