ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ହେଲଥ୍‌ କେୟାର ଅନ୍‌ ହ୍ୱିଲ୍ସ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିତ୍ତିଭୂମି ଦେଶର ଆଭ୍ୟନ୍ତରୀଣ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱାସ୍ଥ୍ୟ ଭିତ୍ତିଭୂମିର ଏକ ପ୍ରମୁଖ ଅଙ୍ଗ ଅଟେ । କାରଣ ଉତ୍ତମ ସ୍ୱାସ୍ଥ୍ୟ ହିଁ ଉତ୍ତମ ଶିକ୍ଷା ଗ୍ରହଣରେ ସହାୟକ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ସମୂହ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ, ଅଶୋକ ଲି ଲ୍ୟାଣ୍ଡ ଏବଂ ଏଲ୍‌ଟିଆଇ ମାଇଣ୍ଡ ଟ୍ରି କମ୍ପାନୀର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମଟିର ପରିକଳ୍ପନା କରାଯାଇଥିଲା ଏବଂ ଯାହାର ଶୁଭାରମ୍ଭ ଆଜି ବିଶ୍ୱ ବିଦ୍ୟାଳୟ ପରିସରରେ ହୋଇଯାଇଛି । କାର୍ଯ୍ୟକ୍ରମଟି ଅପରାହ୍ନ ୪ଟା ସମୟରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏବଂ ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ଜେଆଇଟିଏମ ସି.ଏଚ୍‌.ଏସ୍‌. ଇ ବିଭାଗର ଅଧ୍ୟକ୍ଷ ଡ଼. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ଼. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ନର୍ସିଂ ବିଭାଗର ଅଧ୍ୟକ୍ଷା ଡ଼. ରୋଜଲିନ ଷ୍ଟିଫେନ, ଉପାଧକ୍ଷା ପ୍ରିୟା ପିସ୍କିଲିଆ, ଫାର୍ମାସି ବିଭାଗର ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ରଞ୍ଜିତ, ନର୍ସିଂ ବିଭାଗର ଇନଚାର୍ଜ ସୋମନାଥ ଷଡ଼ଙ୍ଗୀ, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧକ୍ଷା ଡ଼. ପୂଣ୍ୟତୋୟା ବିଶ୍ୱାଳ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସାହାୟତା କରିଥିଲେ । କାର୍ଯ୍ୟକ୍ରମଟିର ଉଦ୍ଦେଶ୍ୟ ହେଲା, ବଲାଙ୍ଗିରର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ରୋଗ ଯେପରି ସି.ବି.ସି, ଡେଙ୍ଗୁ, ମ୍ୟାଲେରିଆର ଚିହ୍ନଟ ଓ ନିରାକରଣ, ରକ୍ତ ପରୀକ୍ଷା କରିବା. ଏଇ କାର୍ଯ୍ୟକ୍ରମ ଅନୁସାରେ ଗୋଟିଏ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଯାନ ଯାହା ଅତ୍ୟାଧୁନିକ ଚିକିତ୍ସା ସୁବିଧା ଦ୍ୱାରା ପରିଚାଳିତ ତାହା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଦୂର ଓ ଉପାନ୍ତ ଅଞ୍ଚଳରେ ଭ୍ରମଣ କରି ଚିକିତ୍ସା ସୁବିଧା ଯୋଗାଇବ । ଏଇ ଚିକିତ୍ସା ସୁବିଧାରେ ବ୍ଲଡ ସୁଗାର ପରୀକ୍ଷା, ବ୍ଲଡ ଗ୍ରୁପ ପରୀକ୍ଷା, ବ୍ଲଡ ପ୍ରେସର ଯାଞ୍ଚ କରିବା, ଚକ୍ଷୁ ପରୀକ୍ଷା ଇତ୍ୟାଦି ରହିଛି । ଏଇ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଫାର୍ମାସୀ ଓ ନର୍ସିଂ ବିଭାଗର କର୍ତ୍ତୃପକ୍ଷ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସହିତ ଲୋକଙ୍କୁ ବିଭିନ୍ନ ରୋଗ ଗୁଡିକର ଲକ୍ଷଣ, ଚିହ୍ନଟ ଓ ନିରାକରଣ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବ । କାର୍ଯ୍ୟକ୍ରମ ଆନ୍ତର୍ଗତ ସମସ୍ତ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ନର୍ସିଂ, ଫାର୍ମାସି ଓ ଡି.ଏମ୍‌.ଏଲ୍‌.ଟି ବିଭାଗର ଛାତ୍ର,ଛାତ୍ରୀଙ୍କ ଦ୍ୱାରା ହିଁ ପରିଚାଳିତ ହେବ । ବାସ୍ତବରେ ଅନୁଷ୍ଠାନର ଏଭଳି ପ୍ରୟାସ ସ୍ୱାଗତଯୋଗ୍ୟ ଓ ଯୁଗୋପଯୋଗୀ ହୋଇପାରିଛି ।

Leave A Reply

Your email address will not be published.