oom

ହାଣ୍ଡିଧୁଆ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଶୁଭାରମ୍ଭ

jsmm

ତାଳଚେର : ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପ ଶୁଭାରମ୍ଭ । ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୧ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବା ସହ ପିଲାଦିନର ସ୍ମୃତିକୁ ମନେପକାଇଥିଲେ । ସେ କହିଛନ୍ତି ଯେ, ଏହି ସ୍କୁଲରେ ମୁଁ ମୋ ଜୀବନର ପ୍ରାଥମିକ ଶିକ୍ଷା ଗ୍ରହଣ କରିଛି । ପିଲାଦିନର ଅନେକ ସ୍ମୃତି ଏହି ସ୍କୁଲ ସହ ଜଡ଼ିତ । ଏହା ମୋର ଘର ପରି ମନେହୁଏ । ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷାରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ ଭାବରେ ଉଭା ହୋଇଛି । ସ୍କୁଲର ଉନ୍ନତି ପାଇଁ ମୋର ବହୁତ ଦିନରୁ ଇଚ୍ଛା ଥିଲା । ଆଜି ଏଠାରେ ସ୍ମାର୍ଟ କ୍ଲାସରୁମ, ରୋଷେଇ ଘର, ନୂଆ ଭବନ, ଡାଇନିଂ ହଲ ଆଦି ତିଆରି ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଉଦଘାଟିତ ହୋଇଥିବା ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ । ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଆମେ ଯେଉଁ ସାମଗ୍ରିକ, ମୂଳ ଏବଂ ଭବିଷ୍ୟତବାଦୀ ଶିକ୍ଷା ବ୍ୟବସ୍ଥାର କଳ୍ପନା କରୁଛୁ ତାହା ଏହି ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ସାକାର ହେବ । ଯେଉଁଠାରେ ଶିକ୍ଷା କେବଳ ପରୀକ୍ଷା ନୁହେଁ ବରଂ ବ୍ୟକ୍ତିତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଏକ ମାଧ୍ୟମ ହେବ । ହାଣ୍ଡିଧୁଆ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେଉଁ ଆତ୍ମବିଶ୍ୱାସ ଅଛି, ତାହା ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ଆଲୋକବର୍ତ୍ତିକା ଭାବରେ କାମ କରିବ । ସ୍କୁଲର ଉତ୍ତରୋତ୍ତର ଉନ୍ନତି ସହ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ ସ୍କୁଲର ମଧ୍ୟାହ୍ନ ଭୋଜନ ସ୍ଥିତି ପରଖିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.