ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର “କୃଷିରଥ” ଶୁଭାରମ୍ଭ କଲେ ଜିଲ୍ଲାପାଳ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା “ବିକଶିତ କୃଷି ସଂକଳ୍ପ ଅଭିଯାନ” କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ପୂର୍ବକ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଭରତଲାଲ ରାଉତ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଌ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଜିଲ୍ଲାପାଳ ଏବଂ ନିମନ୍ତ୍ରିତ ଅତିଥିଗଣ ପତାକା ହଲାଇ କୃଷି ରଥର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଚାଷୀମାନଙ୍କ ମଧ୍ୟରେ ନୂତନ ଫସଲ ଉତ୍ପାଦନ ପ୍ରତି ଆଗ୍ରହ ସୃଷ୍ଟି କରିବା , ପ୍ରଯୁକ୍ତିବିଦ୍ୟା ସହିତ ପରିଚୟ କରିବା, କୃଷି କ୍ଷେତ୍ର ସହିତ ଜଡିତ ଅନୁଷ୍ଠାନ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା, କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ସିଧା ସଳଖ ଆଲୋଚନା କରିବା ଇତ୍ୟାଦି । ନୂଆପଡା ଜିଲ୍ଲାରେ ଏଇ ଖରିଫ ଋତୁରେ ଏହି ଅଭିଯାନ ୧୫ ଦିନ ପାଇଁ ଅର୍ଥାତ୍ ୨୯ ମଇ ରୁ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ । କୃଷି ରଥ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ । ଜିଲ୍ଲା ପ୍ରଶାସନ ସ୍ୱାରା ନିର୍ଦ୍ଧାରିତ ୬୦ ଟି ଗ୍ରାମରେ ଏହା ଆୟୋଜିତ ହେବ । ଉପରୋକ୍ତ ଯୋଜନାର ତଦାରଖ ଏବଂ କାର୍ଯ୍ୟକାରୀ କରିବା ପାଇଁ ୩ ଗୋଟି ଦଳ ଗଠିତ ହୋଇଛି , ଯେଉଁଥିରେ କୃଷି ବିଭାଗ ସହିତ କୃଷି ବିଜ୍ଞାନ କେନ୍ଦ୍ର, ଆଇ ସି ଏ ଆର୍, ଓଡିଶା କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗ୍ରାମ ଗୁଡ଼ିକୁ ପରିଦର୍ଶନ କରିବେ ଏବଂ ଚାଷୀ ମାନଙ୍କ ସହ ପରାମର୍ଶ କରିବେ । ଏହାଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୃଦ୍ଧ ଚାଷୀ ଦେଶର ଗୌରବ ଯୋଜନାର ସଫଳ ରୂପାୟନ ହୋଇ ପାରିବ ।

jittmm
Leave A Reply

Your email address will not be published.