ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା : ସମ୍ବଲପୁରୀ, ଘୋଡ଼ାନାଚ ଓ ଘୁମୁରାରେ ମେଳା ପ୍ରାଙ୍ଗଣ ମୁଖରିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା ତଥା ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କୁ ବିକ୍ରିବଟାର ସୁଯୋଗ ଦେବା ସହିତ ଲୋକ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ନୂଆପଡ଼ା ସ୍ଥିତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲୁଥିବା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା–୨୦୨୬ର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ନୂଆପଡ଼ାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) କ୍ଷମାନିଧି ଭୋଇ ସ୍ୱାଗତ ଅଭିଭାଷଣ ରଖିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ ଓ କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା କୁମ୍ଭାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ତାଙ୍କ ଅଭିଭାଷଣରେ ସୁଭଦ୍ରା ଶକ୍ତି ମେଳାର ଗୁରୁତ୍ୱ ଓ ମହିଳା ସଶକ୍ତିକରଣ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାରେ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହାପରେ ମୁଖ୍ୟମଞ୍ଚରେ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ମଞ୍ଚରେ ବରେଣ୍ୟ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା । ମେଳା ଉପଲକ୍ଷେ ମହିଳା ଓ ବାଳିକା ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଛୁଞ୍ଚି ସୂତା ରେସ୍‌ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ । ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ଘୋଡ଼ା ନାଚ ଦଳ, ଟିକ୍ରାପଡା, କେଏନ୍ କିଡ୍ସ ପବ୍ଲିକ୍ ସ୍କୁଲ, ନୂଆପଡ଼ା, ପ୍ରତିଭା, କଳାହାଣ୍ଡି, ମା’ ଗାଡିଆନୀ ଘୁମୁରା ଦଳ, କାପ୍ସି, ବିରୋମାଲ ବାଳିକା ହାଇସ୍କୁଲ ଏବଂ ପ୍ରତାପ ସାହୁ ଓ ଦଳ ଆକର୍ଷଣୀୟ ନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ । ଏହି ସମସ୍ତ ପ୍ରଦର୍ଶନରେ ମେଳା ପ୍ରାଙ୍ଗଣ ଉତ୍ସାହ ଓ ହର୍ଷୋଲ୍ଲାସରେ ମୁଖରିତ ହୋଇଯାଇଥିଲା । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲା ଓ ରାଜ୍ୟର ପ୍ରାୟ ୩୦୦ ଉଦ୍ୟୋଗୀ ଓ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତାଙ୍କର ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ମେଳା ପ୍ରାଙ୍ଗଣରେ ଦର୍ଶକମାନଙ୍କ ଭିଡ଼ ବଢ଼ିବା ସହିତ ଉତ୍ସବମୁଖର ପରିବେଶ ଦେଖାଯାଉଛି ।

Leave A Reply

Your email address will not be published.