ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ସଦର ଛତ୍ରପୁର ଆଦର୍ଶ ଥାନାର ନୂତନ ଥାନା ଅଧିକାରୀ ଭାବେ ନିରୋଦ କୁମାର ଦାସ ଅବସ୍ଥାପିତ ହୋଇ ବୁଧବାର ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସ୍ଥାନରେ ଥିବା ଆଇ.ଆଇ.ସି. ସତ୍ୟରଞ୍ଜନ ପ୍ରଧାନ ଭୁବନେଶ୍ୱର କମିଶନରରେଟ୍ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର ହୋଇଯାଇଛନ୍ତି । ଏଠାରେ ଅବସ୍ଥାପିତ ହୋଇଥିବା ଆଇ.ଆଇ.ସି. ଶ୍ରୀ ଦାସ ୨୦୧୧ ବେଚ୍ ଆଇ.ଆଇ.ସି. ଅଟନ୍ତି । ଏଥିପୂର୍ବରୁ ଅନୁଗୁଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସେ କାର୍ଯ୍ୟରତ ଥିଲେ । ୨୦୧୯- ୨୦୨୧ରେ ଆଇ.ଆଇ.ସି. ଅନୁଗୁଳ ଜିଲ୍ଲାର ଖମାର, ୨୦୨୧-୨୩ ମଧ୍ୟରେ ଆଠମଲ୍ଲିକ, ୨୦୨୩ ଜୁନ ମାସରୁ ଅଦ୍ୟାବଧି ଅନୁଗୁଳ ଜିଲ୍ଲାର ବନ୍ତଳା ଥାନାରେ ଅବସ୍ଥାପିତ ଥିଲେ । ୧୯୮୫ ମସିହାରୁ ସେ ଓଡ଼ିଶା ପୋଲିସରେ ଯୋଗଦାନ କରି ପଦୋନ୍ନତି ଭିତ୍ତିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି । ପୁରୀ ରିଜର୍ଭ ପୋଲିସ, ଝାରସୁଗୁଡା, ପଦ୍ମପୁର, ବରଗଡ଼-ବିଜେପୁର, ଅନୁଗୁଳ ଆଦି ସ୍ଥାନରେ ଅବସ୍ଥାପିତ ଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଭାବେ ଓଡ଼ିଶା ପୋଲିସରେ ଆଇ.ଆଇ.ସି. ପଦବୀରେ ନିଜର ଦକ୍ଷତା ପ୍ରତିପାଦନ କରିଆସିଛନ୍ତି ବୋଲି କୁହାଯାଏ । ତାଙ୍କର ଯୋଗଦାନ ପରେ ବିଭିନ୍ନ ମହଲରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।