ମ.ରାମପୁରକୁ ରାଜସ୍ୱ ସବ୍‌ଡ଼ିଭିଜନ ମାନ୍ୟତା ମିଳିବ କେବେ ?

  • ଦୀର୍ଘ ୨୭ ବର୍ଷର ଦାବୀ, ହେଲେ ବାଜୁନି ମୋହର : ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
  • ଅକ୍ଟୋବର ୨ରୁ ଆମରଣ ଅନଶନ ଚେତାବନୀ

ମ.ରାମପୁର, (ହେମନ୍ତ ସାହୁ) : ୧୯୯୩ ମସିହା ସେପ୍ଟେମ୍ବର ୧୫ ତାରିଖ ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମ.ରାମପୁର ନିକଟ ଟୁର୍ଚ୍ଚିରେ ଉତେ୍‌ଇ ସେତୁ ଉଦଘାଟନ ବେଳେ କହିଥିଲେ, କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ କରିବା ପାଇଁ । ତା’ପରଠୁ ଅଂଚଳବାସୀ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ପାଇଁ, ହେଲେ ସୁଫଳ କିଛି ମିଳୁନାହିଁ । ଏହି ଦାବୀରେ ବାଜିପାରୁନି ସରକାରଙ୍କ ମୋହର । ମ.ରାମପୁର ରାଜସ୍ୱ ସବଡ଼ିଭିଜନ ପାଇଁ ସମସ୍ତ ପ୍ରକାର ଯୋଗ୍ୟତା ରହିଥିବା ବେଳେ କାହିଁକି ଏହି ମାନ୍ୟତା ମିଳୁନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃ୍‌ଷ୍ଟି କରିଛି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ମାନ୍ୟତାକୁ ନେଇ ଢେର ଆଶାବାଦୀ ଥିଲେ ଅଂଚଳବାସୀ, ଏଥର ରାଜସ୍ୱ ସବଡ଼ିଭିଜନ ମାନ୍ୟତା ନିଶ୍ଚିତ ବୋଲି କିନ୍ତୁ ଆଶା ଆଶାରେ ରହିବା ସହିତ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ନ୍ୟାୟରେ ଏବେ ଏହି ଦାବୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ମ.ରାମପୁର ବ୍ଲକ, କର୍ଲାମୁଣ୍ଡା ବ୍ଲକ ଏବଂ କେସିଙ୍ଗା ବ୍ଲକର ୯ଟି ଗ୍ରାମ ପଂଚାୟତକୁ ନେଇ ଗଠନ ହେଇଛି । ଏହାର ଜନସଂଖ୍ୟା ୨ଲକ୍ଷ ୪୦ହଜାରରୁ ଉର୍ଦ୍ଧ୍ୱ ହେବ । ମ.ରାମପୁର ବ୍ଲକର ଗ୍ରାମ ପଂଚାୟତ ସଂଖ୍ୟା ୧୯, କର୍ଲାମୁଣ୍ଡା ବ୍ଲକର ପଂଚାୟତ ସଂଖ୍ୟା ୧୨, ନର୍ଲା ବ୍ଲକର ପଂଚାୟତ ସଂଖ୍ୟା ୨୬ ଏବଂ କେସିଙ୍ଗା ବ୍ଲକର ଗ୍ରାମ ପଂଚାୟତ ସଂଖ୍ୟା ୯ ଏଥିରେ ଅନ୍ତର୍ଭୁକ୍ତ ରହିଛି । ସମୁଦାୟ ୬୬ଟି ଗ୍ରାମ ପଂଚାୟତର ୬୬୪ ଗ୍ରାମ ସଂଖ୍ୟା । ଏହି ସବୁ ଅଂଚଳ ଗରୀବ ଓ ଆଦିବାସୀ ବହୁଳ ଅଂଚଳ ହେଇଥିବାରୁ ୮୫ ଭାଗ ଲୋକେ ଗ୍ରାମାଞ୍ଚଚଳରେ ବସବାସ କରି ରହୁଛନ୍ତି । ଏହି ଅଂଚଳରୁ ପ୍ରତିଦିନ ଶହ ଶହ ଲୋକ ନିଜର ବିଭିନ୍ନ କାମ ପାଇଁ ଭବାନୀପାଟଣାକୁ ଯାଇଥାନ୍ତି । ଏଥିପାଇଁ କିଛି ଅଂଚଳର ଲୋକଙ୍କୁ ୧୪୦ କିମି ତ ଆଉ କିଛି ଅଂଚଳର ଲୋକଙ୍କୁ ୮୫ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ । ଯଦି କାମ ହେଲା ତ ଭଲ କଥା ନହେଲେ ପୁଣି ଥରେ ଅର୍ଥ ବ୍ୟୟ କରି ଘରକୁ ଫେରିବା ଏବଂ ପୁଣିଥରେ ଖର୍ଚ୍ଚାନ୍ତ ହୋଇ ଉକ୍ତ କାମ ପାଇଁ ଭବାନୀପାଯଣାକୁ ଯିବାକୁ ପଡ଼େ, ଯାହାକୁ ନେଇ ଅଂଚଳବାସୀ ଢେର ଅସୁବିଧାର ସମ୍ମୁଖୀନ ହେଇଥାନ୍ତି । ଏହି ଜିଲ୍ଲାର ଆଦିବାସୀ ବହୁଳ ଲୁବେନଗଡ଼ ପଂଚାୟତ କୁହନ୍ତୁ କି କେସିଙ୍ଗା ବ୍ଲକର ବେଲଖଣ୍ଡି ଅଂଚଳ ହେଉ । ତେବେ ଭୌଗଳିକ ଦୃଷ୍ଟିକକୋଣରୁ ମ.ରାମପୁର ହେଉଛି ଏହି ୬୬ଟି ପଂଚାୟତର ମଧ୍ୟସ୍ଥଳ । ଯାହା ସମସ୍ତ ଅଂଚଳ ପାଇଁ ପ୍ରାଣକେନ୍ଦ୍ର ନିଶ୍ଚିତ ଏବଂ ସମସ୍ତ ଅଂଚଳର ସୀମା ଏହିଠାରୁ ୩୫ରୁ ୪୦ କିଲୋମିଟର ମଧ୍ୟରେ (ଲୁବେନଗଡ଼କୁ ଛାଡ଼ି) । କେବଳ ସେତିକି ନୁହେଁ ମ.ରାମପୁରରେ ବିଭିନ୍ନ ବିଭାଗ ସବ୍ ଜେଲ, ସବୁ ଟ୍ରେଜେରୀ, ଏମ.ଆଇ.ପିଡବ୍ଲୁଡ଼ି, ଇରିଗେସନ, ବିଦ୍ୟୁତ ବିଭାଗ, ସିଭିଲ କୋର୍ଟ, ଯୁଡ଼ିସିଆଲ କୋର୍ଟ, ତହସିଲ ସମେତ ଅନ୍ୟାନ୍ୟ ସବଡ଼ିଭିଜନ କାର୍ଯ୍ୟାଳୟ ତିଆରି ହୋଇସାରିଛି । ଆଶ୍ୱସ୍ଥର ବିଷୟ ନିଶ୍ଚିତ କି ସମଗ୍ର ରାଜ୍ୟରେ ସରକାରଙ୍କର ପ୍ରସ୍ତାବରେ ୧୮ଗୋଟି ରାଜସ୍ୱ ସବଡ଼ିଭିଜନ ରହିଥିବା ବେଳେ ପଶ୍ଚିମ ଓଡ଼ିଶାରେ ୮ଟି ସବଡ଼ିଭିଜନ ଏବଂ ଏହି ତାଲିକାରେ ମ.ରାମପୁରର ନାମ ରହିଛି । କେବଳ ତାଲିକାରେ ନାମ ରଖିଦେଇ ଲଲିପପ୍ ଦେଖାଇବା ଭଳି ଲୋକକୁ ଭୁତେଇ ଦିଆଯାଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଥି ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ, ମ.ରାମପୁର ବାର୍‌ ଆସୋସିଏସନ୍‌, ପଂଚାୟତିରାଜ ପ୍ରତିନିଧି, ବିଭିନ୍ନ ସଂଘଠନ ବିଭିନ୍ନ ସମୟରେ ଆନ୍ଦୋଳନ, ଅଫିସ ଘେରାଉ, ଶୋଭାଯାତ୍ରା ଆଦି କରି ଆସୁଛନ୍ତି, ତଥାପି ଫଳ କିଛି ହେଉନଥିବାରୁ ଏବେ ପୁଣିଥରେ ଆନ୍ଦୋଳନର ଚେତାବନୀ ଦେଇଛି ରାଜସ୍ୱ ଉପଖଣ୍ଡ ମାନ୍ୟତା ଉଦ୍ଦେଶିତ ମିଳିତ ଆଦିବାସୀ ସଂଗ୍ରାମ ମଂଚ । ଆଜି ଏହି ମଂଚର ସଭାପତି ପ୍ରକାଶ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ଯଦି ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଘୋଷଣା କରାନଯାଏ ତେବେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ୩୧ ଅକ୍ଟୋବର ଯାଏଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଏବଂ ତା’ପରେ ବି ଯଦି ସରକାର କିଛି ନ କରନ୍ତି ତେବେ ରାୟପୁର-ଗୋପାଳପୁର ଏବଂ ଭବାନୀପାଟଣା କର୍ଲାମୁଣ୍ଡାରାସ୍ତାକୁ ଅନିର୍ଦ୍ଧିଷ୍ଠ କାଳ ଯାଏଁ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଊପସଭାପତି ପଦ୍ମନ ପାତ୍ର, ମ.ରାମପୁର ସରଚଂପ ସଂଘ ସଭାପତି କାମଦେବ ସାହୁ, ଅବନଜୀବୀ ସତ୍ୟଜିତ ଚାଟାର୍ଜି.ପ୍ରଭାକର ନାଗ, ବିଭୂତି ଭୂଷଣ ମହାଖୁଡ଼, ଗଙ୍ଗାଧର ପ୍ରହରାଜ, ଲିଙ୍ଗରାଜ ପାତ୍ର, ଚମରା ବଗର୍ତ୍ତୀ, ଲଳିତା ପାତ୍ର, ରାଜୁ ମାଝୀ, ହଳଧର ରଣା, ସମ୍ପଦ ବରିହା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.