jayashree

ଷ୍ଟ୍ରଙ୍ଗରୁମରେ ନିରାପତ୍ତା ବ୍ୟବସ୍ଥା କଡାକଡି : ୨ ଥାକିଆ ସଶସ୍ତ୍ର ପୁଲିସ ମୁତୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ଗତ ୨୨ ତାରିଖରେ ଭୋଟ ଗ୍ରହଣ ସମାପ୍ତ ହେବା ପରେ ସମସ୍ତ ବୁଥରୁ ଆସିଥିବା ଜଉମୁଦ ଭୋଟବାକ୍ସଗୁଡିକୁ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ୩ଟି ପୃଥକ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ସାଇତି ରଖାଯାଇଥିବା ନେଇ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ନିରାପତ୍ତା ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯିବା ଉଦ୍ଦେଶ୍ୟରେ ଷ୍ଟ୍ରଙ୍ଗରୁମ ସମ୍ମୁଖରେ ୨ ଥାକିଆ ସଶସ୍ତ୍ର ପୁଲିସ ମୁତୟନ ହୋଇଥିବା ବେଳେ ୨୪ଘଣ୍ଟିଆ ପ୍ରହରା ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଠାରେ ଫେବୃଆରୀ ୨୬ରୁ ୨୮ତାରିଖ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଭୋଟ ବାକ୍ସଗୁଡିକୁ କଡା ସୁରକ୍ଷା ମଧ୍ୟରେ ଗଚ୍ଛିତ ରଖାଯିବ । ତେବେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ନିଜେ କିମ୍ବା ସେମାନଙ୍କ ପ୍ରତିନିଧି ଷ୍ଟ୍ରଙ୍ଗରୁମଠାରୁ ସୁରକ୍ଷିତ ବ୍ୟବଧାନରେ ୨୪ଘଣ୍ଟିଆ ପ୍ରହରା ଦେଇ ପାରିବେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ସମସ୍ତଙ୍କ ସହଯୋଗ କାମନା କରିବା ସହ ସ୍ୱଚ୍ଛତା, ସନ୍ଦେହ ମୁକ୍ତ ଓ ନିରପେକ୍ଷତା ଦୃଷ୍ଟିକୋଣରୁ ପ୍ରାର୍ଥୀମାନେ ଷ୍ଟ୍ରଙ୍ଗରୁମ ବାହାରେ ଜଗାରଖା କରିବା ପାଇଁ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ନିବେଦନ କରିଛନ୍ତି ବୋଲି ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.