ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା : ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚେରପଡ଼ା ଗ୍ରାମରେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚେରପଡ଼ା ଗ୍ରାମର ମଦନମୋହନ ତରାଇଙ୍କ ଏକମାତ୍ର ପୁଅ ମନୋଜ କୁମାର ତରାଇ (୩୫) ଭଦ୍ରକ ଡିଆରଡିଏରେ ଡିପିଓ ଭାବେ କାର୍ଯ୍ୟରତ ଥିଲେ । ସେ ଗତ ୨୫ ତାରିଖରେ ଭଦ୍ରକରୁ ରାଜକନିକାକୁ ନିଜ ଘରକୁ ଫେରୁଥିବା ସମୟରେ ଚାନ୍ଦବାଲି ଥାନା ଅନ୍ତର୍ଗତ ମହୁଲିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମନୋଜଙ୍କ ମୃତ୍ୟୁପରେ ତାଙ୍କ ପାଖରେ ଥିବା ତାଙ୍କ ପତ୍ନୀ ସ୍ୱପ୍ନାଙ୍କୁ ଆତ୍ମୀୟ ସ୍ୱଜନମାନେ ଆଜି ସକାଳେ ଘରକୁ ପଠାଇ ଦେଇଥିଲେ । ଆଜି ସକାଳେ ସ୍ୱପ୍ନା ଘରେ ପହଂଚି ତାଙ୍କ ଶୋଇବା ଘରେ ଭିତରପଟୁ କବାଟ ଦେଇ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକ କବାଟଭାଙ୍ଗି ତାଙ୍କୁ ଉଦ୍ଧାରକରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକମାତ୍ର ପୁଅର ମୃତ୍ୟୁର ବାର ଘଣ୍ଟା ନ ପୁରୁଣୁ ବୋହୂର ମୃତ୍ୟୁରେ ବୃଦ୍ଧ ଶାଶୂ ଓ ଶ୍ୱଶୁରଙ୍କୁ ଶକ୍ତ ଆଘାତ ଲାଗିଛି ।

Leave A Reply

Your email address will not be published.