ସ୍ଥାୟୀ ନିଯୁକ୍ତି ଦାବୀ ସପ୍ତାହ ବ୍ୟାପୀ ଯାଇଥିବା ବେଳେ ଗଣଧାରଣା ଉଗ୍ର ରୂପ ଧାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୬ କିମି ଦୂରରେ ରହିଛି, ଗୋପାଳପୁର ପୋର୍ଟ ଏବଂ ଏଠାରୁ ଆଉ ୨ କିମି ଦୂରରେ ରହିଛି ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ଯାହା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଗଢିଉଠିଛି । ହେଲେ ଏହି ୨ ପ୍ରତିଷ୍ଠାନରେ ସ୍ଥାୟୀ ନିଯୁକ୍ତି ଦାବୀ ପ୍ରସଙ୍ଗ ନେଇ ବିଭିନ୍ନ ଜନଆନ୍ଦୋଳନର ମୁଣ୍ଡ ଟେକିଛି । ଗୋପାଳପୁର ପୋର୍ଟ ଏବଂ ଆଇ.ଆର୍.ଇ.ଏଲକୁ ସଂଯୋଗ କରୁଥିବା ରାସ୍ତାର ଡୁବୁଲି ଛକ ନିକଟରେ କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ନେତୃତ୍ତ୍ୱରେ ଏକ ଗଣଧାରଣା ନେଇ ସରକାର ପ୍ରଶାସନର କାର୍ଯ୍ୟକଳାପକୁ ତୀବ୍ର ପ୍ରତିବାଦ କରି ଆସୁଥିବା ଏହି ଗଣଧାରଣ ୭ ଦିନ ବିତି ଯାଇଥିବା ବେଳେ ବୁଧବାର ସକାଳୁ ସକାଳୁ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନାକ ଦମ୍ କରିଦେଇଛି । ରାସ୍ତାଘାଟରେ ଯାନବାହନ ଚଳାଚଳରେ ପ୍ରତିବନ୍ଧକ ହୋଇ ପରିସ୍ଥିତି ଉତ୍ତେଜନା ପ୍ରବଣ ହୋଇଉଠିଥିଲା । ଆଇନ ଶୃଙ୍ଖଳାକୁ ଆୟତ୍ତ କରିବାକୁ ଯାଇ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏହି ସବୁ ପ୍ରତିଷ୍ଠାନରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଯୁବକ ଓ ଯୁବତୀ ମାନଙ୍କୁ ସ୍ଥାୟୀ ଭାବେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ନିମନ୍ତେ ଦାବୀ ନେଇ ଗଣଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ୭ ଦିନ ଧରି ଏଭଳି ଗଣ ଧାରଣାରେ ବସିରହିବା ବେଳେ ଲିଖିତ ଭାବେ ଉକ୍ତ ଦାବୀ ଦରଖାସ୍ତ ମାଧ୍ୟମରେ ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି ଆଶୁ ଫଇସଲା ହୋଇପାରିନାହିଁ । ଗୋପାଳପୁର ପୋର୍ଟ ଓ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ସୂଚନା ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗୋପାଳପୁର ପୋର୍ଟ ଏବଂ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନ ପକ୍ଷରୁ ବହୁ ବର୍ଷଧରି ବାହାର ଜିଲ୍ଲା ଓ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଆସୁଛି । ଆଞ୍ଚଳିକ ଲୋକଙ୍କ ଠାରୁ ଚାକିରି ଦେବା ବାହାନାରେ ଜମି ଛଡ଼ାଇ ନେଇ ଚାକିରୀ ନ ଦେଇ ଅନେକ ପରିବାରଙ୍କୁ ହନ୍ତସନ୍ତ କରିଦେଲେଣି । ଆଞ୍ଚଳିକ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ବେକାର ସମସ୍ୟା ଦେଇ ଗତି କରିଆସୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଏହାର ବିହିତ ସମାଧାନ କରିବା ନିହାତି ଜରୁରୀ ବୋଲି ସର୍ବସାଧାରଣରେ ଦାବୀ ହେଉଅଛି । ନଚେତ୍ ରାଜରାସ୍ତାକୁ ଓହ୍ଲାଇବା ସହିତ ରାସ୍ତା ଅବରୋଧ କରିବା, ଜନଆନ୍ଦୋଳନକୁ ତୀବ୍ରତର କରାଇବା ନେଇ ସ୍ଥାନୀୟ ସଂଗଠନ ମଞ୍ଚ ପକ୍ଷରୁ କଂଗ୍ରେସ ନେତା ଭାଗିରଥି ବେହେରା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.