ରୋଟାରି କ୍ଲବ ରିଭରସାଇଡର ଦଶମ ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜରେ ଅନେକ ବ୍ୟକ୍ତି ବିଶେଷ ନିରବଚ୍ଛିନ୍ନ ଭାବେ ଉତ୍ସର୍ଗୀକୃତ ସେବା ଯୋଗାଇ ଆସୁଛନ୍ତି । ସେମାନଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ସମ୍ମାନିତ କରିବା ରୋଟାରିର ଏକ ବିଶେଷ କର୍ତ୍ତବ୍ୟ ଭାବେ ବିବେଚିତ ହୋଇଥାଏ । ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଅନୁଷ୍ଠିତ ରୋଟାରି କ୍ଲବ ଅଫ ରାଉରକେଲା ରିଭରସାଇଡର ଦଶମ ସ୍ଥାପନା ଦିବସ ଅବସରରେ ଏହିପରି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ରାଉରକେଲା ହାଇଟେକ ମେଡିକାଲ କଲେଜରେ କାର୍ଯ୍ୟରତ ସେବିକା ଅମିତାରାଣୀ ଜେନା, ଛେଣ୍ଡ କଲୋନୀର ଡାକସେବା କର୍ମଚାରୀ ଭାଗ୍ୟଧର ପଶାୟତ ଓ ରାଉରକେଲା ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ଗୌର ସୁନା । ଉତ୍ସବର ମୁଖ୍ୟଅତିଥି ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଏଫ୍‌. ସି. ମହାନ୍ତିଙ୍କ ଦ୍ୱାରା ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯିବା ସହ ଉପଢୌକନ ପ୍ରଦାନ କରାଯାଇଥିଲା । ସଭାପତି ସିଦ୍ଧିନାଥ ଜ୍ୟୋତିଷୀ ସଭାରେ ପୌରୋହିତ୍ୟ କରି କ୍ଲବର ବିଗତ ଦଶବର୍ଷର ସ୍ଵର୍ଣ୍ଣିମ ଇତିହାସର ଅବତାରଣା କରିଥିଲେ । ସେକ୍ରେଟେରୀ ଭଗବାନ ପାଢୀ କ୍ଲବ ତରଫରୁ ସମ୍ପାଦିତ ହୋଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଏସିଷ୍ଟାଣ୍ଟ ଗଭର୍ଣ୍ଣର ଶୁଚିସ୍ମିତା ବିଶ୍ୱାସ ବିଦାୟୀ ପ୍ରେସିଡେଣ୍ଟ ଓ ସେକ୍ରେଟେରୀଙ୍କୁ ଚଳିତ ୨୦୨୨-୨୩ ରୋଟାରି ବର୍ଷରେ ସେମାନଙ୍କ ସଫଳତା ନିମିତ୍ତ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟିକା ରୀନା କଦମବାଲା ସଂଗୀତ ପରିବେଷଣ କରିଥିଲେ । ଅତିଥି ଅଞ୍ଜନା ମୈତ୍ରଙ୍କ ସହ କ୍ଲବ ସଦସ୍ୟ ଡଃ ପି.ସି. ମହାପାତ୍ର, ଜେ.ପି ସାହା, ପ୍ରମିଳା ମିଶ୍ର, ବନ୍ଦନା ଜୋତିଷୀ, ସୁଧାରାଣୀ ପ୍ରଧାନ, ଶଙ୍କର ପ୍ରସାଦ ତ୍ରିପାଠୀ, ସୁଖବିନ୍ଦର ଶେଖୋନ୍, ଡଃ ଭକ୍ତିପ୍ରସାଦ ମହାପାତ୍ର, ଜୟଶ୍ରୀ ପାଢୀ, ସିମରନଜିତ କାଉର, ପ୍ରତିମା ମହାପାତ୍ର, ବସନ୍ତ ପାଠୀ, ଅଜୟ ସାହୁ, ହରିହର ନାୟକ, ଲକ୍ଷ୍ମଣ ନାଥ ଦାସ, ପରମେଶ୍ଵର ପ୍ରଧାନ, ଅନଙ୍ଗ ମଞ୍ଜରୀ ପ୍ରଧାନ, ଅଜୟ ବିଶ୍ୱାଳ, ସାଗର ସୁବୁଦ୍ଧି, ରାମଚନ୍ଦ୍ର ଜେନା, ମମତା ପାଠୀ ଓ ଦିବ୍ୟାନୀ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.