ଖପ୍ରାଖୋଲ ପୋଲିସ ଦ୍ଵାରା ୩ ଶିଶୁ ସମେତ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ୩ ଶିଶୁ ସମେତ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରବିବାର ସକାଳ ୯.୩୦ ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ହରିଶଙ୍କର ଛକ ନିକଟରେ ଗୋଟିଏ ବସ୍‌ରୁ ୩ ଶିଶୁ ସମେତ ୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଜଣେ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ହୋଇଥିବା ସର୍ଦ୍ଦାର ରଞ୍ଜିତ ଜାଲ(ବୁଢା) (୪୦) ବରଗଡ ଜିଲ୍ଲା ବୁଡେନ ଥାନା ସର୍ଗିପାଲି ଗ୍ରାମର ବୋଲି ସୂଚନା ମିଳିଛି । ଶ୍ରମିକ ମାନଙ୍କୁ ବେଆଇନ ଭାବରେ ଚାଲାଣ ହେଉଥିବା ଜାଣି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଟେମରି ଗ୍ରାମର ୬ ଜଣ, ଜଗଦଳପୁର ଥାନା ବୁଖରାମୁଡା ଗ୍ରାମର ୪ ଜଣ, ପାଟଣାଗଡ଼ ଥାନା ମସିଣାଛାପର ଗ୍ରାମର ୩ ଜଣ ଏବଂ ସେମାନଙ୍କ ସହ ୩ ଶିଶୁ ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡିଛି । ଦାଦନ ସର୍ଦ୍ଦାର ସେମାନଙ୍କୁ ତେଲେଙ୍ଗାନା ରାଜ୍ୟ ସ୍ଥିତ ହାଇଦ୍ରାବାଦକୁ ବେଆଇନ ଭାବେ ଚାଲାଣ କରୁଥିବା ଶ୍ରମିକମାନେ କହିଛନ୍ତି । ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଘରେ ପୋଲିସ ଛାଡ଼ି ଦେଇଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୫୪/୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.