ଦାଦନ ଖଟିବାକୁ ଯାଇ ୨ ଶ୍ରମିକ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ବ୍ଲକର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏକ ଶୋକମୟ ପରିବେଶରେ ସେମାନଙ୍କ ଶବଦାହ କରାଯାଇଛି । ମହାରାଷ୍ଟର ପୁନେ ଜିଲ୍ଲାର ପିମ୍ପିରୀ ସ୍ଥିତ ଏନ୍‌ସିସି ଲିମିଟେଡ଼ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ ପାଣି ଟାଙ୍କି ଭୁଶୁଡି ପଡିବାରୁ ୭ ଜଣ ଠିକା ଶ୍ରମିକ ମୃତ୍ୟୁ ବରଣ କରିଥିଲେ । ୭ ଜଣଙ୍କ ମଧ୍ୟରୁ ବିହାର ରାଜ୍ୟର ୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ଜଣେ ଓ ଗଞ୍ଜାମ ବ୍ଲକର ୨ ଜଣ ମୃତ୍ୟୁ ବରଣ କରିଥିଲେ । ମୃତକ ହେଲେ ରବି ମହାଙ୍ଗୁଡ଼ ଓ ସୁଦାମ ବେହେରା । ମୃତକ ରବି ଗଞ୍ଜାମ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଶ୍ୱଶୁର ଘରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହୁଥିଲେ । ମୃତକ ରବି ଗତ ଦୁଇ ସପ୍ତାହ ତଳେ ପୁନେ ଯାଇଥିଲେ କାମ କରିବାକୁ । ତାଙ୍କର ଆର୍ଥିକ ସ୍ଥିତ ଭଲ ନଥିବାରୁ ସାଇକେଲରେ ଗାଁ, ଗାଁ ବୁଲି ବିଭିନ୍ନ ପ୍ରକାର ଟେସନାରୀ ଜିନିଷ ବିକ୍ରି କରୁଥିଲେ । ଏହା ସତ୍ତ୍ୱେ ଆର୍ଥିକ ଅନାଟନ ଲାଗିରହିଥିବାରୁ ପେଟର ଭୋକକୁ ସମ୍ଭାଳି ନପାରି ସେ କାମ କରିବା ପାଇଁ ଗତ ଦୁଇ ସପ୍ତାହ ତଳେ ଯାଇଥିଲେ କମ୍ପାନୀକୁ । ଦିନ କେଇଟାରେ ତାଙ୍କରି ସୁନାର ସଂସାର କ୍ଷଣକ ପାଇଁ ଭସ୍ମମୀଭୁତ ହୋଇଗଲା, ଚିରନିଦ୍ରାରେ ଶୋଇଗଲେ ୨ ଶ୍ରମିକ, ମୃତକ ରବିର ୯ ବର୍ଷର ପୁଅଟି ଥିବା ବେଳେ, ବାରବର୍ଷର ଝିଅଟି ରହିଛି । ସେହିପରି ଅନ୍ୟଜଣ ମୃତକ ହେଲେ ସୁଦାମ ବେହେରା (୩୩) । ତାଙ୍କ ଘର ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପାଲୁର ଗ୍ରାମ । ଛୋଟ ପୁଅ ଓ ଝିଅ ଅଛନ୍ତି । ତାଙ୍କର ମଧ୍ୟ ଆର୍ଥିକ ସ୍ଵଚ୍ଛଳତା ନଥିବାରୁ ମଧ୍ୟ ଗତ ଦୁଇ ସପ୍ତାହ ତଳେ କାମ ପାଇଁ ପୁନେ ଯାଇଥିଲେ । ସେମାନେ ରହୁଥିବା ମେସରେ ଏକ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ସେଠାରେ ଗାଧୋଉଥିବା ସମୟରେ ଟାଙ୍କିଟି ଭୁଶୁଡି ପଡିଥିଲା । ନିର୍ମାଣ ହେବାର ଏକ ସପ୍ତାହ ନପୁରୁଣ ଟାଙ୍କିଟି ଭୁଶୁଡି ପଡ଼ିଥିବା ଜଣାପଡିଛି । ଏହି ଘଟଣାଟି ଗତ ୨୪ ତାରିଖରେ ଘଟିଥିବା ବେଳେ ଆଜି ମୃତ୍ୟକଙ୍କ ଶବ ନିଜ ଗ୍ରାମକୁ ସକାଳ ୧୦ଟା ସମୟରେ ଆସିବାପରେ ଏକ ଶୋକକୁଳ ପରିବେଶରେ ଗ୍ରାମ ମଶାଣିରେ ଦାହ କରାଯାଇଥିଲା । କାମ କରୁଥିବା ସଂସ୍ଥା ପକ୍ଷରୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷଟଙ୍କା ଓ ଶୁଦ୍ଧି କାର୍ଯ୍ୟ ପାଇଁ ୧ ଲକ୍ଷ ଟଙ୍କା ମୃତକ ପରିବାରକୁ ଦିଆଯାଇଥିବା କହିଛନ୍ତି । ଏହି ଘଟଣା ଘଟିବାର ୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ଯାଇନଥିବା ବେଳେ, ବିଶେଷ କରି ଶ୍ରମ ବିଭାଗ ଅଧିକାରୀଙ୍କ ଦେଖାନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆଜିମୃତ ଦୁଇପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.