ରାଜ୍ୟସଭାରେ ଓଡିଶା, କେବିକେ ଏବଂ କୋଶଳାଞ୍ଚଳର ଦାଦନ ଶ୍ରମିକ ସମସ୍ୟା ଉଠାଇଲେ ସାଂସଦ

ଦିଲ୍ଲୀ : ଆଜି ସଂସଦର ବଜେଟ ଅଧିବେଶନରେ ରାଜ୍ୟସଭାରେ ଓଡିଶା ବିଶେଷ କରି କୋଶଳାଞ୍ଚଳ, କେବିକେ, ଦକ୍ଷିଣ ଓଡିଶାର ଦାଦନ ଶ୍ରମିକମାନଙ୍କ ସୁରକ୍ଷା, ସମ୍ମାନ, ମଜୁରୀ, ସମସ୍ୟା ସମାଧାନ କରିବା ପାଇଁ ଭାରତ ସରକାରଙ୍କଠାରେ ଦାବୀ କରିଥିଲେ । ସାଂସଦ ଶ୍ରୀ ବିଶି କହିଲେ ଯେ ଅଭାବ ଅନଟନ, ବେକାରୀ, ବନ୍ୟା ମରୁଡ଼ି ପ୍ରାକୃତିକ ବିପତ୍ତି ଯୋଗୁଁ ୧୦ ଲକ୍ଷରୁ ଅଧିକ ଶ୍ରମିକ ପେଟପାଟଣା ସକାଶେ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ସେମାନେ ଇଟାଭାଟି, ଫେକ୍ଟ୍ରି, ନିର୍ମାଣ କାର୍ଯ୍ୟରେ ୧୬ ରୁ୧୮ ଘଣ୍ଟା ଖଟୁଛନ୍ତି । ବିଭିନ୍ନ ରାଜ୍ୟରେ ଓଡିଶାର ୫ଶହରୁ ଅଧିକ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି । ମୃତ ଶ୍ରମିକର ପରିବାରକୁ ଉଚିତ କ୍ଷତିପୂରଣ ଦିଆଯାଉନାହିଁ । ଅଧିକାଂଶ ମୃତ୍ୟୁ ଘଟଣାକୁ ଚପାଇ ଦିଆଯାଉଛି । ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ, ମଜୁରୀ ନିର୍ଦ୍ଧାରଣ ଆଇନ ଥିବା ସତ୍ୱେ କାର୍ଯ୍ୟକାରୀ ହେଉନାହିଁ ବୋଲି ଶ୍ରୀ ବିଶି ଉଦ୍‌ବେଗ ପ୍ରକାଶ କରିଥିଲେ । ଦାଦନ ଯାଉଥିବା ଅଧିକାଂଶ ଶ୍ରମିକ ପଞ୍ଜିକରଣ ହେଉନାହିଁ, ପରିଚୟ ପତ୍ର ଦିଆଯାଉନାହିଁ, ସେମାନଙ୍କୁ ରାସନ ସାମଗ୍ରୀ, ସ୍ୱାସ୍ଥ୍ୟ ସୁବିଧା, ବୀମା ସୁବିଧା ଦିଆଯାଉନାହିଁ । ମହିଳା ଏବଂ ଶିଶୁ ଶୋଷଣ ଉତ୍ପୀଡ଼ନର ଶିକାର ହେଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ଶ୍ରମିକମାନେ ଦେଶର ମେରୁଦଣ୍ଡ, ଯେଉଁ ଶ୍ରମିକ ସ୍କୁଲ କଲେଜ, ହସ୍ପିଟାଲ, ରାସ୍ତା, ବ୍ରିଜ, କଳକାରଖାନା, ଶିଳ୍ପ, କୋଠାବାଡ଼ି ନିର୍ମାଣ କରୁଛନ୍ତି ସେହି ଶ୍ରମିକ ଅସୁରକ୍ଷିତ ଏବଂ ଅବହେଳିତ । ଏହା କେବଳ ଶ୍ରମିକ ସମସ୍ୟା ନୁହେଁ କିନ୍ତୁ ମାନବ ଅଧିକାରର ବହୁତ ବଡ଼ ପ୍ରଶ୍ନ । ସେମାନଙ୍କ ସୁରକ୍ଷା ସାମ୍ବିଧାନିକ କର୍ତ୍ତବ୍ୟ । ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି ଯେ ଶ୍ରମିକମାନଙ୍କ ସମସ୍ୟା ସମାଧାନ, ସୁରକ୍ଷା, ମଜୁରୀ, ମର୍ଯ୍ୟାଦା ସୁନିଶ୍ଚିତ କରିବାପାଇଁ ଭାରତ ସରକାର ଶ୍ରମିକ ଆଇନକୁ କଡ଼ାକଡି ଭାବରେ କାର୍ଯ୍ୟକାରୀ କରନ୍ତୁ, ରାଷ୍ଟ୍ରୀୟ ଶ୍ରମିକ ପଞ୍ଜିକରଣ ପ୍ରସ୍ତୁତ କରନ୍ତୁ, ଏକ ରାଷ୍ଟ୍ର ଏକ ରାସନରେ ଆୟୁଷ୍ମାନ ଭାରତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରନ୍ତୁ, ମହିଳା ଏବଂ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ, ଓଡିଶା ତଥା ପଶ୍ଚିମ ଓଡିଶା, କେବିକେ, ଦକ୍ଷିଣ ଓଡିଶାର ଦାଦନ ଶ୍ରମିକ ସମସ୍ୟା ସମାଧାନ କରିବା ପାଇଁ ଏହି ଅଞ୍ଚଳରେ କର୍ମ ନିଯୁକ୍ତି ବୃଦ୍ଧି କରାଯାଉ ବୋଲି ସାଂସଦ ଶ୍ରୀ ବିଶି ଦୃଢ଼ ଦାବୀ କରିଥିଲେ ।

Leave A Reply

Your email address will not be published.