ରାଉରକେଲା ଇଏସ୍‌ଆଇସି ମଡେଲ ହସ୍ପିଟାଲ ଅବ୍ୟବସ୍ଥା ବିରୋଧରେ ସିଆଇଟିୟୁର ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ

  • ସେପ୍ଟେମ୍ୱର ୧୫ ସୁଧା ସୁଧାର ନହେଲେ ଅନିର୍ଦ୍ଦିଷ୍ଟ କାଳ ଲଗାତର ଆନ୍ଦୋଳନ ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇଏସ୍‌ଆଇସି ମଡେଲ ହସ୍ପିଟାଲ ଘୋର ଅବ୍ୟବସ୍ଥା ବିରୋଧରେ ଆଜି ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ ହସ୍ପିଟାଲ ସମ୍ମୁଖରେ କରାଯାଇଛି । ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ରାଜ୍ୟ ଉପସଭାପତି ପ୍ରମୋଦ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା, ରାଜ କିଶୋର ପ୍ରଧାନ, ବି.ପି. ମହାପାତ୍ର, ହୃଦୟାନନ୍ଦ ଯାଦବ, ଅଜିତ ଏକ୍କା, ଅଜିତ ଦାସ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ, ଏହି ହସ୍ପିଟାଲ ଉପରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ୧ ଲକ୍ଷ ୪୭ ହଜାର ୬୪୧ ଜଣ ଏସ୍‌ଆଇସି ବୀମାଭୁକ୍ତ ଶ୍ରମିକ ଓ ସେମାନେ ପରିବାରକୁ ମିଶାଇଲେ ପ୍ରାୟ ୫ ଲକ୍ଷ ହିତାଧିକାରୀ ମଡେଲ ହସ୍ପିଟାଲର ଅବ୍ୟବସ୍ଥା ଯୋଗୁଁ ସ୍ଵାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି । ଏହି ମଡେଲ ହସ୍ପିଟାଲ ଉପରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ଇଏସ୍‌ଆଇସି ବୀମାଭୁକ୍ତ ଶ୍ରମିକ ନିର୍ଭର କରନ୍ତି ନାହଁ ତତ୍ ସହିତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ବହୁ ସଂଖ୍ୟକ ବିମାଧାରୀ ଏବଂ ସେମାନଙ୍କ ପରିବାର ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ । ଏହି ହସ୍ପିଟାଲକୁ ରାଉରକେଲାକୁ ରାଉରକେଲାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଗତ ଦିନରେ ସିଆଇଟିୟୁ ଅନେକ ଆନ୍ଦୋଳନ କରିଛି । ଏହି ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୨୬ ଜଣ ଅନୁମୋଦିତ ଡ଼ାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ୍ ଆବଶ୍ୟକ ଥିଲାବେଳେ କେବଳ ୧୯ ଜଣ ଡାକ୍ତର ନିୟୋଜିତ ଥିଲେ, ଗତ ଏକ ବର୍ଷ ତଳେ ଡାକ୍ତର ମାନଙ୍କୁ ଜାଣିଶୁଣି ବଦଳି କରିବା ଦ୍ୱାରା ଏବେ କେବଳ ୯ ଜଣ ଡାକ୍ତରଙ୍କୁ ନେଇ ହସ୍ପିଟାଲ ଚାଲୁଛି । ମେଡିସିନ୍‌ ବିଭାଗ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କୌଣସି ଡାକ୍ତର ନଥିବା ଯୋଗୁଁ ବୀମାଧାରୀ ଓ ତାଙ୍କ ପରିବାର ବର୍ଗ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଏକ୍ସ ରେ, ଅଲଟ୍ରାସାଉଣ୍ଡ, ଏମ୍‌ଆର୍‌ଆଇ, ଏଣ୍ଡୋସ୍କୋପି ,ସ୍କାନିଙ୍ଗ ମେସିନ ଉପଲବ୍ଧ ନାହଁ । ନିୟୋଜିତ ହୋଇଥିବା ୯ ଜଣ ଡାକ୍ତର ଅଧିକାଂଶ ଡାକ୍ତର ବାହାର ରାଜ୍ୟର ତେଣୁ ରୋଗୀ ଓ ଡ଼ାକ୍ତରଙ୍କ ମଧ୍ୟରେ ବାର୍ତ୍ତାଳାପ ରୋଗୀ ବୁଝିପାରୁ ନାହାନ୍ତି । ଇଏସ୍‌ଆଇସି କେନ୍ଦ୍ରୀୟ ନିର୍ଦ୍ଦେଶନାମା ପରେ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ରେଫରାଲ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଇଏସ୍‌ଆଇସି ମଡେଲ ହସ୍ପିଟାଲର ଅବ୍ୟବସ୍ଥା ଓ ହସ୍ପିଟାଲକୁ ଦୁର୍ବଳ କରିବା ପାଇଁ ଉପର ସ୍ତରରେ ଚକ୍ରାନ୍ତ ଚାଲିଛି । ଓଡ଼ିଶାର ଏହି ଜୋନ୍‌ରେ ସର୍ବାଧିକ ଇଏ୍‌ସଆଇସି ବୀମାଭୁକ୍ତ ଶ୍ରମିକ ଥିଲାବେଳେ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବାରୁ ସିଆଇଟିୟୁ, ପକ୍ଷରୁ ଇଏସ୍‌ଆଇସି ବୀମାଭୁକ୍ତ ଶ୍ରମିକ ମାନଙ୍କୁ ନେଇ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବେଳେ ଆଜି ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି । ଯଦି କେନ୍ଦ୍ର ବିଜେପି ସରକାର, ଇଏସ୍‌ଆଇସି ବୋର୍ଡ଼ ଓ ମଡେ଼ଲ ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ସେପ୍ଟେମ୍ବର ୧୫ ସୁଧା ହସ୍ପିଟାଲ ପରିଚାଳନାରେ ଉନ୍ନତି ନକରନ୍ତି, ଡାକ୍ତର, ପାରା ମେଡିକାଲ ଷ୍ଟାଫ, ନର୍ସ ଓ ଅନ୍ୟାନ୍ୟ ମେଡିକାଲ ଷ୍ଟାଫ ପୁରଣ ନକରନ୍ତି, ପୂର୍ବ ପରି ରେଫରାଲ ବ୍ୟବସ୍ଥାକୁ ସୁନିଶ୍ଚିତ ନକରନ୍ତି ତେବେ ସିଆଇଟିୟୁ ପକ୍ଷରୁ ଲଗାତର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯିବା ସହ ଏକ ସ୍ମାରକପତ୍ର ହସ୍ପିଟାଲ ସୁପରିଟେଣ୍ଡଣ୍ଟଙ୍କୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ଓ ଶ୍ରମିକ ଶୋଭାଯାତ୍ରାରେ ସିମୁ ନେତା ତଥା ଜୟ ଆଇରନ ଷ୍ଟିଲ ନେତା ସମ୍ୱିତ ସ୍ୱାଇଁ, ଆଇଏଫ୍‌ଜିଏଲ୍‌ ରିଫ୍ରାକ୍ଟରୀ ନେତା ସିଡିଓ ମୁଣ୍ଡା, ଇଷ୍ଟର୍ଣ ଆଲୋଏଜ ନେତା କ୍ଷୀରୋଦ ବେହେରା, ଇଷ୍ଟର୍ଣ ଇକ୍ୟୁପମେଣ୍ଟ ନେତା ରଞ୍ଜନ ବେହେରା, ଏସିଆଟିକ ଅକ୍ସିଜେନ ନେତା ସୁଧାଂଶୁ ଜେନା, ସର୍ଭେସ ରିଫ୍ରାକ୍ଟରୀ ନେତା ଭବାନୀ ସାହୁ, ସରୋଜ ବାର୍ଲା, ଉତ୍କଳ ମୋଲଡର୍ସ ନେତା ମୁସକୁ ଓରାମ, ଆର୍‌ବି ଅଗ୍ରୱାଲ ନେତା ଭାଗିରଥୀ ବେହେରା, ଭାସ୍କର ଷ୍ଟିଲ ନେତା ରଞ୍ଜିତ ପତି, ସୀତା ସ୍ପଞ୍ଜ ନେତା ରଞ୍ଜନ ଦାସ, କମଣ୍ଡ ଷ୍ଟିଲ ନେତା ସନ୍ତୋଷ ସାହୁ, ଆର୍ ବି ସ୍ପଞ୍ଜ ନେତା ଦିନବନ୍ଧୁ ମହାନ୍ତ, ସମେତ ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ସଂପାଦକ ଆନନ୍ଦ ମାସି ହରୋ, ଶକୁନ୍ତଳା ମହାକୁଡ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଅରୁ ଦାସ, ବିନୟ ବେହୁରିଆ, ରତ୍ନାକର ନାୟକ, ଚନ୍ଦ୍ରଭାନୁ ଦାସ, ଦିବାକର ମହାରଣା, ଉପେନ୍ଦ୍ର ତ୍ରିପାଠୀ, ଅରୁଣ ମହାରଣା, ବଛିରାମ ବେହେରା, ବସନ୍ତ ପାଢ଼ୀ, ସାଗର ଛୋଟରାୟ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.