- ଅଙ୍ଗୁରବାଳା ପରିଡ଼ାଙ୍କୁ ସନତ୍ ରାୟ ସ୍ମୃତି ସମ୍ମାନ
ରାଉରକେଲା, (ସସ୍ମିତା ପ୍ରଧାନ) : ସନତ୍ ରାୟ ସ୍ମୃତି କମିଟି ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ସନତ ସାହିତ୍ୟ ସମାରୋହ ସହିତ ସାରସ୍ଵତ ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହିତ ସନତ ରାୟଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ସଭାପତି ଶ୍ରୀ ଚାଟାର୍ଜୀ ସମସ୍ତ ଅତିଥିଙ୍କୁ ସ୍ୱାଗତ କରି ସନତ ରାୟଙ୍କ ସଂଘର୍ଷପୂର୍ଣ୍ଣ ଜୀବନଧାରା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ମୃତି କମିଟିର ବରେଣ୍ୟ ସଦସ୍ୟ ରୂପେ ଡଃ. ପ୍ରଭାତ କୁମାର ମଲ୍ଲିକ ସନତ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ସାରସ୍ଵତ ସୃଷ୍ଟି ପଲ୍ଲୀ ଜୀବନରୁ ବିଶ୍ୱ ଜୀବନ ପର୍ଯ୍ୟନ୍ତ କିପରି ପରିବ୍ୟାପ୍ତ ତତ୍ ସମ୍ପର୍କରେ ପ୍ରାଞ୍ଜଳ ଆଲୋଚନା କରିଥିଲେ । ମୁଖ୍ୟ ଆଲୋଚିକା ମୋନାଲିସା ମିଶ୍ର ସନତ ରାୟଙ୍କ କାବ୍ୟକୃତିରେ ସମାଜର ନିମ୍ନସ୍ତରର ମଣିଷ ଠାରୁ ଶାସନ ତନ୍ତ୍ରର ବିଧି ବ୍ୟବସ୍ଥା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ତାଙ୍କର ସ୍ୱରକୁ କିପରି ନିର୍ଭିକ ଭାବରେ ଉତ୍ତୋଳନ କରିଥିଲେ । ତାହାର ବିଷଦ୍ ବ୍ୟାଖ୍ୟାକରି ସନତ୍ ରାୟଙ୍କୁ “ ସଂପର୍କର କବି” ବୋଲି ଉଦଘୋଷଣା କରିଥିଲେ । ମୁଖ୍ୟ ଅତିଥି ଗଗନ ବିହାରୀ ଧଳ ସନତ ରାୟଙ୍କ କାବ୍ୟ ଜୀବନର ପ୍ରାରମ୍ଭ ଠାରୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତାଙ୍କର ଜୀବନ କାହାଣୀର ସ୍ମୃତି ଚିତ୍ର ଅଙ୍କନ କରିଥିଲେ । ଏହି ଅବକାଶରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ କବୀ ଅଙ୍ଗୁରବାଳା ପରିଡ଼ାଙ୍କୁ ସନତ୍ ରାୟ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କବି ପରେଶ ବିଶ୍ୱାଳ ମାନପତ୍ର ପାଠ କରିଥିଲେ । ସନତ ରାୟଙ୍କ ଶ୍ରେଷ୍ଠକବିତା ଗୁଡିକୁ କବି ତ୍ରିଲୋଚନ ସ୍ୱାଇଁ, ବଳରାମ ରାଉଳ, ପ୍ରଶାନ୍ତ କୁମାର ପତି, ଗଙ୍ଗାଧର ପୁହାଣ ପ୍ରମୁଖ ଆବୃତ୍ତି କରି କବିଙ୍କର ସ୍ମୃତି ରୋମନ୍ଥନ କରିଥିଲେ । କାଶୀନାଥ ପାତ୍ର, ଭୋଳେଶ୍ୱର ବେହେରା, ବସନ୍ତ ବିଶ୍ୱବକର୍ମା, ଧୋବେଇ ବେହେରା ପ୍ରମୁଖ ବହୁ କବି କବିତା ପାଠ କରିଥିଲେ । ସହରର ଲବ୍ଧ ପ୍ରତିଷ୍ଠିତ ସାରସ୍ଵତ ସ୍ରଷ୍ଟା ସର୍ବଶ୍ରୀ ଡଃ. କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, କାଶୀନାଥ ନନ୍ଦୀ, ସଞ୍ଜୀବ କୁମାର ଭୋଇ, ଶ୍ରୀଧର ସୁନା, ଗଗନ ବିହାରୀ ନାୟକ, ଅକ୍ଷୟ ସାମଲ, ଭଗବାନ ପରିଡ଼ା, ଡଃ. ନଗେନ ଦାସ, ଦେବସ୍ମିତା ମହାନ୍ତି, ସ୍ୱର୍ଣ୍ଣଲତା ରାୟ, ମନୋରମା ସାହୁ, ସୁକାନ୍ତି ତ୍ରିପାଠୀ, ବିଭୁ ନାୟକ, ମୀନାକ୍ଷୀ ପାଢ଼ୀ, ପ୍ରବୀର କୁମାର ଦୁବେ, କେଦାର ପ୍ରଧାନ, ପ୍ରଫୁଲ୍ଲ କୁମାର ସାମଲ, କେଦାରନାଥ ଗିରି, ବାସୁଦେବ ସାହୁ, ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପରିଶେଷରେ ସମ୍ପାଦକ ଶ୍ରୀ ମହାପାତ୍ର ସମସ୍ତ ଆଲୋଚନାର ନିର୍ଯ୍ୟାସକୁ ଉପସ୍ଥାପନ ପୂର୍ବକ ସମକାଳୀନ ସାହିତ୍ୟର ସେ ଜଣେ ନିଖୁଣ କାବ୍ୟକାର ଏବଂ ତାଙ୍କ କବିତା ପାଠରେ ଅବସାଦ ନାହିଁ ବୋଲି ମନ୍ତବ୍ୟ ପ୍ରଦାନ କରି ସମସ୍ତ ସଭାସଦ୍ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।