ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ସଭାଗୃହରେ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିବା ଶିକ୍ଷାର୍ଥୀ – ପୋଲିସ ବାହିନୀ (ଏସ୍.ପି.ସି)ର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମ୍ବରିଶ ଭୋଇଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ଯୋଗଦେଇ ଆନୁଷ୍ଠାନିକ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏ.ଏସ୍.ଆଇ ମନୋଜ ମିଶ୍ର, ଶିକ୍ଷା ପରିଚାଳନା ସମିତି ସଭ୍ୟ ଭକ୍ତ ଚରଣ ସାହୁ, ଆଲୁମିନୀ ସଭାପତି ବସନ୍ତ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥିମାନେ ପୋଲିସ ସହ ସାଧାରଣ ଲୋକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପୋଲିସ ସେବା ଉପରେ ତାଲିମ ଦେବା ସହ ଛାତ୍ରଛାତ୍ରୀମାନେ କିପରି ଶୃଙ୍ଖଳିତ ସମାଜ ଗଠନ କରିବେ ସେଥିପ୍ରତି ଆଗ୍ରହ ଜନ୍ମାଇବା ପାଇଁ କେନ୍ଦ୍ର ସରକାରଙ୍କ ଅଭିନବ ଉପାୟ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ମୁଣ୍ଡା କିଛି ଦିନ ବ୍ୟବଧାନରେ ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କ ସହ ମିଶି ପୋଲିସ ସେବା ଉପରେ ନିଶ୍ଚିତ ଭାବେ ତାଲିମ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସ୍କୁଲର ୧୧ଜଣ ବାଳକ ଓ ୧୧ଜଣ ବାଳିକା ମୋଟ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଲିସ ପୋଷାକରେ ଦେଖାଯାଇଥିଲା । ବିଜ୍ଞାନ ଶିକ୍ଷକ ପ୍ରତାପ ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଶିକ୍ଷକ ରାଜକୁମାର ବେରିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସେହିପରି ଶିକ୍ଷକ ପଞ୍ଚମନ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଦେବାଶିଷ ବିଶ୍ୱାଲ, ସୁନିତା ମଲ୍ଲିକ, ହରିପ୍ରିୟା ଧରୁଆ, ମିନତୀ ସରଭଙ୍ଗ, ରଶ୍ମିତା ସା, ବଳଦେବ ମାଝୀ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ଓ ମଣି ରଣା ପ୍ରମୁଖ ସହଯୋଗ କରିଥିଲେ ।