
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଜଣେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ତ୍ରିଲୋଚନ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ଲଡୁଗାଁ ସ୍ଥିତ ଶ୍ରୀରାମ ମାମୋ ଦେବୀ ଧର୍ମଶାଳାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ବୁଦ୍ଧିଜୀବୀ, ସଚେତନ ନାଗରିକ, ରାଜନୀତିଜ୍ଞ, ସାମ୍ବାଦିକମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱର୍ଗତ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଦିବଙ୍ଗତ ତ୍ରିଲୋଚନ ଅଗ୍ରୱାଲ ଜଣେ ଶିଳ୍ପପତି ସହ ଜଣେ ସମାଜସେବୀ ଭାବେ କଳାହାଣ୍ଡି ଜିଲ୍ଲାର କୋଣେ କୋଣେ ପରିଚିତ ବ୍ୟକ୍ତି ଥିଲେ । ତାଙ୍କ ଉଦ୍ୟମରେ ଲଡୁଗାଁଠାରେ ମାମୋ ଦେବୀ ଦାତବ୍ୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲି ଅଞ୍ଚଳର ହଜାର ହଜାର ଅସହାୟ, ନିରୀହ, ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ସେବା ସହ ମାଗଣାରେ ଔଷଧ ଓ ଆମ୍ବୁଲାନ୍ସ ସେବା, ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ହେଉ ଅବା ବିବାହ ଯୋଗ୍ୟ କନ୍ୟାଙ୍କୁ ମଧ୍ୟ ସହଯୋଗ କରି ଅଞ୍ଚଳର ଜନସାଧାରଣଙ୍କ ସେବା କରି ଆସୁଥିଲେ । ଶୋକସଭାରେ ଉପସ୍ଥିତ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ସାମ୍ବାଦିକମାନେ ତାଙ୍କର ଏହି ମହତ କାର୍ଯ୍ୟ ଚିରସ୍ମରଣୀୟ ହୋଇ ରହିବ ଓ ପରବର୍ତ୍ତୀ ତାଙ୍କ ପିଢ଼ି ମଧ୍ୟ ସେବା ମନୋଭାବ ନେଇ ସମାଜସେବା କାର୍ଯ୍ୟ ଜାରି ରଖିବାକୁ ମତ ପ୍ରକାଶ କରିଥିଲେ । ଶୋକସଭାରେ ସ୍ୱର୍ଗତ ତ୍ରିଲୋଚନ ଅଗ୍ରୱାଲଙ୍କ ଭାଇ ରମେଶ ଅଗ୍ରୱାଲ, ଅମର ଅଗ୍ରୱାଲ, ଝିଅ କୃଷ୍ଣା କୁମାରୀ ଅଗ୍ରୱାଲ, ରାଜୀବ କୁମାର ଅଗ୍ରୱାଲ, ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମଞ୍ଚ ପରିଚାଳନାରେ ପଙ୍କଜ ମୁଖ ଚୌଧୁରୀ ସହଯୋଗ କରିଥିଲେ ।