ମ.ରାମପୁର, (ହେମନ୍ତ ସାହୁ) : ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହିଦ ହୋଇଥିବା ସାମ୍ବାଦିକ ରୋହିତଙ୍କ ଏକାଦଶାହ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରିସ୍ଥିତ ତାଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସାମ୍ବାଦିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷାଙ୍କ ଉପସ୍ଥିତିରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ରୋହିତଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ସାମ୍ବାଦିକ ହେମନ୍ତ ସାହୁଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କ୍ଷିତିପତି ପଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ହୋତା, ରାୟଗଡ଼ା ଜିଲ୍ଲା ଓଜେୟୁ ସଭାପତି ସୁବ୍ରତ କୁମାର ଚୌଧୁରୀ, ଉମେଶଚନ୍ଦ୍ର ବିଶ୍ୱାଳ, ନେତ୍ରାନନ୍ଦ ସାହୁୁ, ସୂର୍ୟ୍ୟ ନାରାୟଣ ସାହୁ, ଡ଼ାକ୍ତର ତାପସ ରଞ୍ଜନ ପଧାନ, କଳାହାଣ୍ଡି କୁଲତା ସମାଜ ସଭାପତି କେଶବଚନ୍ଦ୍ର ଭୋଇ, ସଂପାଦକ ବିଜୟ କୁମାର ଭୋଇ, ରାମଚଣ୍ଡି ଦରବାରର ଉପଦେଷ୍ଠା ରକ୍ଷାକର ଭୋଇ, ଲକ୍ଷ୍ମୀକାନ୍ତ ବେହେରା, ବିଭୁତି ଭୂଷଣ ମହାଖୁଡ, ପ୍ରକାଶ ମାଝୀ ପ୍ରମୁଖ ସ୍ମୃତିଚାରଣ କରିଥିବା ବେଳେ କୁଲତା ସମାଜ ତରଫରୁ ମରଣୋତ୍ତର ସମ୍ମାନ ପ୍ରଦାନ କରିଥିଲେ, ଯାହାକୁ ଗ୍ରହଣ କରିଥିଲେ ରୋହିତଙ୍କ ପୁତ୍ର ଆରୁଶ । ଓଜେୟୁ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ରାଜ୍ୟ ର ଅନ୍ୟତମ ଉପସଭାପତି ସୁଶାନ୍ତ ମହାପାତ୍ର, ଅନ୍ୟତମ ସଂପାଦକ ରାଜକିଶୋର ତ୍ରିପାଠୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ନୀଳ କମଳ ମିଶ୍ର, ସୁବର୍ଣର୍ପୁର ଜିଳ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ସୁବର୍ଣ୍ଣପୁର ଜିଲ୍ଲା ସଂପାଦକ ମହାଦେବ ମଲ୍ଲିକ, ବୌଦ୍ଧ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କଳାହାଣ୍ଡି ଜିଲ୍ଲା ସଂପାଦକ ଲକ୍ଷ୍ମଣ ସ୍ୱାଇଁ, ପ୍ରଦୀପ ସାହୁ, ସନ୍ତୋଷ ଦଣ୍ଡସେନା, ସୁବ୍ରତ ସାହୁ ଭୂପିନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ବଡ଼ଭାଇ ବିଶ୍ୱଜିତ ବିଶ୍ୱାଳ, ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁ, ଦିବାକର ସାହୁ, ଅମୀୟ ରଞ୍ଚନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମ.ରାମପୁର ଥାନା ଅନ୍ତର୍ଗତ ଦୁଲେନ ଛକ ନିକଟରେ ଗତ ୫ ତାରିଖ ଶନିବାର ଦିନ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ରୋହିତଙ୍କ ପରଲୋକ ହୋଇଥିଲା ।