ଶୋକାକୁଳ ପରିବେଶରେ ପ୍ରବାସୀ ଶ୍ରମିକର ଅନ୍ତିମ ସଂସ୍କାର

ଜୟପାଟଣା, (ଶେଷଦେବ ବେହେରା) : ଗତ ଚାରିମାସ ତଳେ ବେଙ୍ଗାଲୁରୁକୁ ଯାଇ ଏକ ଘରୋଇ ସଂସ୍ଥାରେ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟରତ ଥିବା ପଚିଶ ବର୍ଷର ଯୁବକ ଗିରିରାଜ ବଣୁଆଙ୍କ ବେଙ୍ଗାଲୁରୁ ଠାରେ ଟ୍ରେନ ସହ ଧକ୍କା ହୋଇ ମୃତ୍ୟୁ ବରଣ କରିଥିବା ଘଟଣା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଗୁରୁବାର ରାତିରେ ଏକ ବିମାନ ଯୋଗେ ମର ଶରୀର ବିଶାଖାପାଟଣା ପହଞ୍ଚି ଶୁକ୍ରବାର ଆମ୍ବୁଲାନ୍ସ ଯୋଗେ ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରଜା ନାଗଫେଣୀ ଜନ୍ମମାଟିକୁ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଥିଲା । ଚାରି ମାସ ତଳେ ପ୍ରଜା ନାଗଫେଣୀ ଗ୍ରାମର ଗୌରଚନ୍ଦ୍ର ବଣୁଆଙ୍କ ଏକ ମାତ୍ର ପୁତ୍ର ଗିରିରାଜ ବଣୁଆ କର୍ମ ସଂସ୍ଥାନ ପାଇଁ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ପନ୍ଦର ଦିନ ତଳେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଗତ ମଙ୍ଗଳବାର ସନ୍ଧ୍ୟାରେ କୌଣସି କାର୍ଯ୍ୟ ବଶତଃ ଟ୍ରେନ ଲାଇନ କଡ଼ରେ ବୁଲୁଥିବା ଅବସ୍ଥାରେ ଏକ ଟ୍ରେନ ସାଙ୍ଗରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗାଁକୁ ଖବର ଆସିବା ପରେ ପରିବାର ଲୋକେ କଳାହାଣ୍ଡି ଜିଲ୍ଲା ପ୍ରଶାସନକୁ ଶବ ଆଣିବାରେ ସହଯୋଗ ଭିକ୍ଷା କରିଥିଲେ । ତଦନୁରୁପ ଆଦିବାସୀ ସଂଘ ଓ ଲାଞ୍ଜିଗଡ ବିଧାୟକ ମଧ୍ୟ ପ୍ରଶାସନକୁ ଜଣାଇ ଥିବା ସୂଚନା ମିଳିଛି । ପରେ ମୃତକଙ୍କ ବାପା ଗୌରଚନ୍ଦ୍ର ବଣୁଆ, କୋକସରା ବ୍ଲକ ବୋବ୍ରିଆ ଗ୍ରାମର ତାପସ ଦଳପତି ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସେନା ବିଭାଗ ଜମ୍ମୁ କାଶ୍ମୀରରେ କାର୍ଯ୍ୟରତ ବିଷ୍ଣୁ ବଣୁଆ ଶବ ଆଣିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିବା ପ୍ରକାଶ । ବାପା ଗୌର ଧାର କରଜ କରି ବିମାନ ଯୋଗେ ପୁଅର ମୃତ ଶରୀରକୁ ସାଥୀମାନଙ୍କ ସହଯୋଗରେ ଆଣିଥିବା ପ୍ରକାଶ । ମୃତ ଶରୀର ଗାଁକୁ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ଥାନୀୟ ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ ଆର୍ଥିକ ସହାୟତା ଯୋଗାଇ ଥିବାବେଳେ ଆଦିବାସୀ ସଂଘ ସଭାପତି ମନୋଜ ପାତ୍ର, ଦକ୍ଷିଣ ଓଡ଼ିଶା ଆଦିବାସୀ ସଂଘ ସଭାପତି ଗଙ୍ଗାଧର ମାଝୀ, ସମାଜସେବୀ ଶେଷଦେବ ବେହେରା ପ୍ରମୁଖ ପରିବାର ଲୋକଙ୍କୁ ଧର୍ଯ୍ୟ ରଖିବାକୁ ଶାନ୍ତ୍ୱନା ଦେଇଥିଲେ ମଧ୍ୟ ଗିରିରାଜର ଚିତା ସାଙ୍ଗରେ ପରିବାର ପ୍ରତିପୋଷଣର ସ୍ୱପ୍ନ ଚୁର୍‌ମାର୍‌ ହୋଇଯାଇଥିଲା ।

Leave A Reply

Your email address will not be published.