ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ଖେଳପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ମା’ ତାରାତାରିଣୀ, ମା’ ବାଙ୍କେଶ୍ୱରୀ, ମା’ ବୁଢ଼ୀଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା ହୋଇ ସେଠୁ ମଶାଲ ଶୋଭାଯାତ୍ରା ବାହାରି ବ୍ରହ୍ମପୁର ସହର ପରିକ୍ରମା କରି ମଶାଲ ଶୋଭାଯାତ୍ରା ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ପଡିଆରେ ପହଞ୍ଚିଥିଲା । ଏଠାରେ ମଶାଲ ସ୍ଥାପନ ସହ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଓ ସଧାରଣ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାରେ ବିଜେପି ସଭାପତି ସରୋଜ ସାବତ, ଡେପୁଟୀ ମେୟର ବିବେକ ରେଡ୍ଡୀ, କାର୍ଯ୍ୟକାରୀ ସଭାପତି ନାରାୟଣ ମହାକୁଡ଼, ଉପ ସଭାପତି ଯଜ୍ଞ ନାରାୟଣ ଦାସ, ସଂଗଠନ ସଂପାଦକ ସିତନ୍ସୁ ପଣ୍ଡା, ଡାକ୍ତର କିରଣ କୁମାର ପାଣିଗ୍ରାହୀ, ସମିତ ସାବତ, ନାଗେଶ୍ୱର ପୃଷ୍ଟି, ନବୀନ କୁମାର ମହାପାତ୍ର, ମନୋଜ ପତି, ବନମାଳୀ ପ୍ରଧାନ, ବିଜୟ ଅଧିକାରୀ, ରୋହିତ ପରିଡା, ବିଜେପି କର୍ମକର୍ତ୍ତା ଓ ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ମହୋତ୍ସବରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦ, ହୋମିଓପ୍ୟାଥିକ୍, ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ଭେଷଜ ଚିକିତ୍ସାଳୟ ସମ୍ବନ୍ଧିତ ୮୧ ଗୋଟି ପ୍ରଦର୍ଶନୀ ଷ୍ଟଲ ସହ ପ୍ରତ୍ୟେକ ଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ନିରାକରଣ ବିଷୟରେ ଆଲୋଚନା ଚକ୍ର ସହ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯିବ । ସ୍ୱାସ୍ଥ୍ୟ ସମସ୍ୟା ଆଜି ସମାଜର ଏକ ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି । ତାସହିତ ଗଞ୍ଜାମ ଭଳି ଏକ ଜନ ବହୁଳ ଜ଼ିଲ୍ଲାରେ ଅଧିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି । ଆଧୁନିକ ଚିକିତ୍ସା ସହ ପାରମ୍ପରିକ ଚିକିତ୍ସା ବିଷୟରେ ଜନ ଜାଗରଣ କରି ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ସ୍ୱାସ୍ଥ୍ୟ ପର୍ଯ୍ୟଟନର ଏକ ପେଣ୍ଠସ୍ଥଳୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମୁଖରେ ରାଜ୍ୟର ଦ୍ୱିତୀୟ ଏମ୍ସ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଦାବୀ ଉପସ୍ଥାପିତ କରାଯିବ ବୋଲି ମତ ପ୍ରକାଶ ପାଇଛି । ପ୍ରତିଦିନ ଉଭୟ ଓଳି ଓପିଡି ଖୋଲିବ । ସେହି ଓପିଡିରେ ବିଶାଖାପାଟଣା ଓ ଭୁବନେଶ୍ୱରରୁ ସୁନାମାଧନ୍ୟ ବିଶେଷଜ୍ଞ ମାନେ ଯୋଗ ଦେବେ । ସମ୍ପୂର୍ଣ୍ଣ ମାଗଣାରେ ରୋଗୀମାନେ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ନେଇପାରିବେ । ସବୁଦିନ ସକାଳୁ ଯୋଗ, ମଧ୍ୟାହ୍ନରେ ସେମିନାର, ସନ୍ଧ୍ୟାରେ ବୈଠକ ଓ ପରେ ପରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ୧୪ ତାରିଖରେ ମେଗା ରକ୍ତଦାନ ଶିବିର ଏବଂ ଶେଷ ଦିନ ଜ଼ିଲ୍ଲାରେ ଏମ୍ସ ପ୍ରତିଷ୍ଠା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯିବ । ସନ୍ଧ୍ୟାରେ ଆୟୋଜିତ ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଧାୟକ କେ. ଅନୀଲ କୁମାର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଅବିନାସ କୁମାର୍, ସିଡିଏମଓ ଡାକ୍ତର ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ସମାଜସେବୀ ଶିଶିର ମିଶ୍ର, ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଅଶୋକ ବ୍ରହ୍ମା, ସ୍ୱାସ୍ଥ୍ୟ ମହୋତ୍ସବ ଉପ-ସଭାପତି ଯଜ୍ଞ ନାରାୟଣ ନନ୍ଦ, ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଡିପିଏମ ବୁଲୁନାଥ ସାହୁ, ଉପଦେଷ୍ଟା ନବୀନ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୂପିନ୍ଦର ଓ ପୂପୂଲ୍ ପ୍ରମୁଖ ସଂଯୋଜନା କରିଥିଲେ । ସୁଦୀପ କୁମାର ସାହୁ ଓ ସାଧନା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।