
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଣିଷ ମରିଗଲା ପରେ ବି ତାଙ୍କର କୃତି ଓ କୀର୍ତ୍ତି ପାଇଁ ସବୁବେଳେ ଜନମାନସରେ ବଞ୍ଚିଥାନ୍ତି । ସେହିପରି ଜଣେ ମହତ୍ ମଣିଷ ଓ ଆଦର୍ଶ ଗୁରୁ ହେଉଛନ୍ତି ଘନିପୁର ଗ୍ରାମ ପଞ୍ଚାୟତ ଅଧୀନ ଗଡ଼ ବେଗୁନିଆପଡା ଗ୍ରାମର ରବୀନ୍ଦ୍ର ନାଥ ରାଉତରାୟ । ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଗଡବେଗୁନିଆପଡ଼ା ବାସଭବନ ଠାରେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ସ୍ଵାଇଁଙ୍କ ପୌରହିତ୍ୟରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କ ସମ୍ମାନାର୍ଥେ ଗଙ୍ଗପୁରପାଟଣା ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି । ନିଜସ୍ୱ ଗାଁ ଗଡ଼ ବେଗୁନିଆପଡା ଠାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ନାରାୟଣ ପାତ୍ର, ଆର୍ତ୍ତତ୍ରାଣ ମହାନ୍ତି, ଭଗବାନ ମହାପାତ୍ର, ଚକ୍ରଧର ପ୍ରଧାନ, ଗୋପବନ୍ଧୁ ସାସମଲ, ଶରତ ସିଂ, ଶିକ୍ଷକ ଅଭିମନ୍ୟୁ ସିଂ, ଉମେଶ ସାହୁ, ଦେବରାଜ ପୃଷ୍ଟି, ଅକ୍ଷୟ ପଣ୍ଡା ଓ ଆଖପାଖ ଅଞ୍ଚଳର ପ୍ରାକ୍ତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବୁଦ୍ଧିଜୀବୀ ମାନେ ଯୋଗଦେଇ ସ୍ଵର୍ଗତ ରାଉତରାୟଙ୍କ ଆଦର୍ଶ ଶିକ୍ଷାଦାନ, ପରୋପକାରିତା, ସାମାଜିକତା, ମେଳାପି ଗୁଣ, ସାଙ୍ଗଠନିକ ନୀତି, ସମାଜସେବା ସବୁଦିନ ପାଇଁ ଏମାଟି ଝୁରୁଥିବ ବୋଲି ତାଙ୍କ ଅମ୍ଳାନ ସ୍ମୃତିକୁ ବକ୍ତବ୍ୟରେ ବ୍ୟକ୍ତ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦାଶଙ୍କ ସହ ଲଡୁ କିଶୋର ସାମନ୍ତସିଂହାର, ପ୍ରଦୀପ୍ତ ସାହୁ, ଚକ୍ରଧର ସାହୁ ଓ ଅନ୍ୟ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ ଓ ପରିବେଶପ୍ରେମୀମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟରେ ସ୍ଵର୍ଗତ ରାଉତରାୟ ଚାକିରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିକ୍ଷକତା କରି ସ୍ଥାନୀୟ ଅଞ୍ଚଳରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରି ବେଶ୍ ସୁନାମ ଅର୍ଜନ କରିଥିଲେ । ସହଯୋଗ ଓ ଯୋଗଦାନ ପାଇଁ ସୁପୁତ୍ର ବିଜୟ କୁମାର ରାଉତରାୟ, ଅଜୟ କୁମାର ରାଉତରାୟ, ଭାଇ ରମେଶ ଚନ୍ଦ୍ର ହାତୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।