ସହିଦଙ୍କ ବିୟୋଗରେ ଜିଲ୍ଲା ସୈନିକ ସଂଘର ସ୍ମୃତିସଭା

କେନ୍ଦ୍ରାପଡା, (ସସ୍ମିତା ପ୍ରଧାନ) : ଗତ ୮ ତାରିଖ ଦିନ ଦୋଷିଆ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଇନ୍ସପେକ୍ଟର ନଟବର ରାଉତଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଠିକ୍ ସେହିଦିନ ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହେଲିକେପ୍ଟର ନୀଳଗିରି ପାହାଡ଼ ନିକଟରେ ଦୁର୍ଘଟଣା ଘଟି ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକାଙ୍କ ସମେତ ପ୍ରଥମେ ୧୩ ଓ ପରେ ଜଣେ, ମୋଟ ୧୪ ଜଣ ବୀରଗତି ପ୍ରାପ୍ତ ହୋଇଥିଲେ । ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା । ଏଥିପାଇଁ ଜିଲ୍ଲା ସୈନିକ ସଂଘ ତରଫରୁ ଏକ ସ୍ମୃତିଚାରଣ ସଭା ଆୟୋଜନ କରାଯାଇଥିଲା । ଏଥିରେ ସୈନିକ ସଂଘର ୨୦ଜଣ ସୈନିକଙ୍କ ସହ ଶତାଧିକ ଗ୍ରାମବାସୀ ସାମିଲ ହୋଇ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସହିଦଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି କ୍ୟାପଟେନ ବାଣୀଭୂଷଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ରବିନ୍ଦ୍ର ରାଉତ, ସନାତନ ସାହୁ, ପ୍ରାକ୍ତନ ସରପଞ୍ଚ ନିମାଇଁ କର, ମାନଗୋବିନ୍ଦ ସ୍ୱାଇଁ, ଲକ୍ଷ୍ମୀଧର ରାଜ, ନଳିନୀକାନ୍ତ ସ୍ବାଇଁ, ଚିତ୍ତରଂଜନ ରାଉତ, ସସ୍ମିତା ସ୍ବାଇଁ, ସରପଞ୍ଚ ପ୍ରଭାତ ପ୍ରଧାନ ପ୍ରମୁଖ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସଂଘର ସଂପାଦକ ଆଇନଜୀବୀ ମହେଶ୍ୱର କର ଶ୍ରଦ୍ଧାସୁମନ ସ୍ବରୁପ ସ୍ବର୍ଗତ ନଟବରଙ୍କ ପତ୍ନୀ ଶୁଭଲକ୍ଷ୍ମୀଙ୍କୁ ସାଲ ଓ ଉପସ୍ଥିତ ସମସ୍ତ ସୈନିକଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ଶେଷରେ ସଭାପତି କ୍ୟାପଟେନ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.