ବୁକୁରାମୁଣ୍ଡାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡାକୁ ବ୍ଲକ ଘୋଷଣା ପାଇଁ ଦାବି ହେଉଛି । ଏହିକ୍ରମରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଅଞ୍ଚଳବାସୀ ସ୍ମାରକପତ୍ର ପ୍ରଦାନ କରିଥିଲେ । ବ୍ଲକ ସଂପ୍ରସାରଣ ଉପରେ ରାଜସ୍ୱ ମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ ଜଣାଇ ପାଇକମାଲ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଏବଂ ଟେମରୀ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ହିତକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ପରେ ଅଞ୍ଚଳବାସୀଙ୍କ ଦାବିକୁ ଉପସ୍ଥାପନ କରିବା ପାଇଁ ପୂର୍ବତନ ବିଜେପି ଲଖମରା ମଣ୍ଡଳ ସଭାପତି ଭୀଷ୍ମଦେବ ସାହୁ ଏବଂ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ନୋମିନି ପରମାନନ୍ଦ ଭୋଇ ଭୁବନେଶ୍ଵର ଯାଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ସାକ୍ଷାତ କରି ବୁକୁରାମୁଣ୍ଡା ଆଞ୍ଚଳକୁ ବ୍ଲକ ଘୋଷଣା କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୧ ମସିହାରେ ହୋଇଥିବା ଜନଗଣନା ଅନୁସାରେ ପାଇକମାଲ ବ୍ଲକର ଜନସଂଖ୍ୟା ୧୧୭୯୮୮ ରହିଥିବାବେଳେ, ୧୭୮୧୧ ଏସ୍‌ସି, ୪୨୧୨୯ ଏସ୍‌ଟି, ୫୮୦୪୮ ଓବିସି ବର୍ଗର ଅଟନ୍ତି । ବର୍ତ୍ତମାନ ଆମେ ଆସି ପହଞ୍ଚିଛୁ ୨୦୨୫ ବର୍ଷରେ । ଏଇ ୧୪ ବର୍ଷ ବ୍ୟବଧାନ ମଧ୍ୟରେ ଜନସଂଖ୍ୟା ବଢିବା ସ୍ୱଭାବିକ ଅଟେ । ଅପର ପକ୍ଷରେ ଏହି ଅଞ୍ଚଳରେ ଦୀର୍ଘ ଦିନରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିଲେ ସୁଦ୍ଧା ଏହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହା ଦ୍ୱାରା ରୋଗୀଙ୍କୁ ଜରୁରୀ ସେବା ପାଇଁ ନିକଟସ୍ଥ ପାଇକମାଲ, ପଦ୍ମପୁର, ଝାରବନ୍ଧକୁ ଦୀର୍ଘ ୨୦ରୁ ୩୦ କି.ମି. ଅତିକ୍ରମ ହେବା ବେଳକୁ ରୋଗୀ ତଥା ଆତ୍ମୀୟ ସୋଦର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସବୁକୁ ଦୃଷ୍ଟି ଦେଇ ବୁକୁରାମୁଣ୍ଡାକୁ ବ୍ଲକ ଘୋଷଣା କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଦାବି ହେଉଛି ।

Leave A Reply

Your email address will not be published.