jayashree

ଜୀବନ ସେବା ଫାଉଣ୍ଡେସନ ତରଫରୁ କଳାହାଣ୍ଡିର ବିଭିନ୍ନ ଜାଗାରେ ଶୀତବସ୍ତ୍ର ବଣ୍ଟନ

ଭବାନୀପାଟଣା, (ପି.କେ. ସାହୁ) : ଭୁବନେଶ୍ୱର ସହରର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଜୀବନ ସେବା ଫାଉଣ୍ଡେସନ ତରଫରୁ ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଆଦିବାସୀ ଗାଁମାନଙ୍କରେ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ବର୍ତ୍ତମାନ କଳାହାଣ୍ଡିରେ ହାଡଭଙ୍ଗା ଶୀତ ଲହରୀ ଜାରି ରହିଛି । ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାରେ ଦୁଇଦିନ ରହି ପ୍ରଥମ ଦିନରେ ଫାଉଣ୍ଡେସନର ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅତିଥି ଭାବରେ ପୂର୍ବତନ ବିଜ୍ଞାନ ଶିକ୍ଷକ ଦେବାନନ୍ଦ ବାଗ ଉପସ୍ଥିତ ରହି ଅଞ୍ଚଳର କର୍ଲାପାଟ, ଟିକ୍ରାଗୁଡା, ଲିଲିଙ୍ଗ ପଦର, ଶନିମୁଣ୍ଡା, ଭେଜିଗୁଡା ଆଦି ଅଞ୍ଚଳରୁ ଆସିଥିବା ଦିବ୍ୟାଙ୍ଗ, ଅସହାୟ ବୃଦ୍ଧବୃଦ୍ଧା, ଅନାଥ ଛୁଆମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ପ୍ରବଳ ଥଣ୍ଡାରେ ଶୀତବସ୍ତ୍ର ବଣ୍ଟନ କରିବାକୁ ନେଇ ଅଂଚଳବାସୀ ସାଧୁବାଦ ଜଣାଇବା ସହ ଖୁସି ବ୍ୟକ୍ତ କରିଥିବା ବେଳେ ଦ୍ୱିତୀୟ ଦିନରେ ଥୁଆମୂଳ ରାମପୁର ବ୍ଲକର ଆଦିବାସୀ ଅଞ୍ଚଳ ମେଲକୁଣ୍ଡେଲ, ବଣ୍ଡେଲ, ପିଣ୍ଡାପଦର, ବଡ଼ ବଣ୍ଡେଲ ଅଞ୍ଚଳର ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଅଞ୍ଚଳର ଲୋକେ ସଂଗଠନର ସଦସ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ନିଜର ପାରମ୍ପରିକ ବାଜା, ଢୋଲ, ନିଶାନ ନେଇ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କୁ ସ୍ୱାଗତ କରି ବାଜା ସାହାଯ୍ୟରେ ପାଛୋଟି ନେଇଥିଲେ । ସଂଗଠନର ସମ୍ପାଦକ ସନାତନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଦେବାନନ୍ଦ ବାଗ, ୱାର୍ଡ ମେମ୍ବର ପୁପି ମାଝୀ, ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ଉପସ୍ଥିତ ରହି ଅଞ୍ଚଳରେ ରହୁଥିବା ସମସ୍ତ ଅସହାୟମାନଙ୍କୁ କମ୍ବଳ, ଶାଢ଼ୀ, ଛୋଟ ଛୁଆମାନଙ୍କୁ ପ୍ୟାଣ୍ଟ, ସାର୍ଟ ସବୁ ବଣ୍ଟନ କରିଥିଲେ । ଦୁଇଦିନ ଧରି ୨୫୦ରୁ ଅଧିକ କମ୍ବଳ ସହ ଶାଢ଼ୀ, ପ୍ୟାଣ୍ଟ ସାର୍ଟ ସବୁ ବଣ୍ଟନ କରିଥିଲେ ସଂଗଠନର କର୍ମକର୍ତ୍ତ ମାନେ । ପ୍ରକାଶ ଥାଉକି ଏହି ସଂଗଠନ ଭୁବନେଶ୍ୱରରେ କରୋନା ସମୟରେ ଦୀର୍ଘ ଦେଢ଼ ବର୍ଷ ଧରି କେପିଟାଲ ହସ୍ପିଟାଲରେ ଖାଇବା ବଣ୍ଟନ କରିଥିଲେ । ସେହିପରି ବସ୍ତି ଅଞ୍ଚଳରେ ପ୍ରତି ରବିବାର ପାଠଶାଳା ମାଧ୍ୟମରେ ପାଠ ପଢାଇବା ସହ ରକ୍ତଦାନ, ବର୍ଣ୍ଣବୋଧ ବଣ୍ଟନ, ଖାତା ବହି ବଣ୍ଟନ ପରି କାର୍ଯ୍ୟ ଜାରି ରଖିଛନ୍ତି । ସେମାନେ ପୂର୍ବରୁ ମଧ୍ୟ ବିଭିନ୍ନ ଆଦିବାସୀ ଜିଲ୍ଲାରେ କମ୍ବଳ ବଣ୍ଟନ କରିଛନ୍ତି । ପ୍ରଥମ କରି କଳାହାଣ୍ଡି ମାଟିକୁ ଆସି ଆଦିବାସୀ ଅଞ୍ଚଳରେ କମ୍ବଳ ବଣ୍ଟନ କରିଥିବାରୁ ଅଂଚଳବାସୀ ଖୁସିହୋଇ ପାରମ୍ପରିକ ବାଜାରେ ସ୍ୱାଗତ କରିଛନ୍ତି । ଏହି ଦୁଇଦିନ ଧରି ଜିଲ୍ଲାର ହେମସାଗର ସାହୁ, ଗୋକୁଳ ସାହୁ, ସ୍ନିଗ୍ଧାରାଣୀ ସିଂ, ସୁବାସ ନାଏକ ଓ ଜୀବନ ସେବା ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.