ପ୍ରତି ପଂଚାୟତରେ ପାଠାଗାରଟିଏ ପାଇଁ ଦାବୀ ଜଣାଇଲା ‘ଶିଶୁଶ୍ରୀ’

  • ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଧାୟକ, ଜିଲ୍ଲାପାଳ ତଥା ସଂସ୍କୃତି ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପ୍ରତି ପୁସ୍ତକଠାରୁ ସମସ୍ତେ ଦୂରେଇ ଯାଉଥିବା ପରିପ୍ରେକ୍ଷୀରେ ପୁସ୍ତକ ମନସ୍କ ପାଇଁ ପାଠାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ରହିଥିବା ବେଳେ ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ସମଗ୍ର ରାଜ୍ୟରେ ପ୍ରତି ପଂଚାୟତରେ ପାଠାଗାରଟିଏ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବୀ ଜଣାଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି । ଶିଶୁଶ୍ରୀ ପାଠାଗାରର ସଭାପତି ବିଶିଷ୍ଟ ସାହିତ୍ୟକ ତଥା ଲେଖକ ମନୋରଞ୍ଜନ ମେହେର, ଆବାହକ ଡ଼ଃ ରବିନାରାୟଣ ସାହୁ ଓ ସଂଯୋଜକ ଗୋପବନ୍ଧୁ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶୁକ୍ରବାର ଦିନ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ କୃତ୍ତିବାସ ରାଉତ, ବରଗଡ଼ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କୁ ପୃଥକ ଭାବେ ଭେଟି ଏ ବିଷୟରେ ଆଲୋଚନା କରିବା ସହ ପ୍ରତି ପଂଚାୟତରେ ଏକ ପାଠାଗାର ପ୍ରତିଷ୍ଠା ସହ କିଛି ପୁସ୍ତକ ଯୋଗାଇବା ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ତେବେ ୨୦୧୪ ମସିହାରୁ ସ୍ଥାପିତ ବରଗଡ଼ର ‘ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର’ ବରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୁସ୍ତକ ମନସ୍କ କରାଇବା ସହିତ ପାଠାଗାରର ଆବଶ୍ୟକତା ସମ୍ବନ୍ଧ ୧୩୭ଟି ସ୍ଥାନରେ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ ଛୁଟିରେ ବିଭିନ୍ନ ବସ୍ତି ଅଂଚଳରେ ରହୁଥିବା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଗୀତ ନୃତ୍ୟ ଚିତ୍ରାଙ୍କନ ମାଧ୍ୟମରେ ପୁସ୍ତକ ପଢିବା ପାଇଁ ‘ଆସ ଆମେ ପଢିବା’ କାର୍ଯ୍ୟକ୍ରମ ଜରିଆରେ ପାଠାଗାରକୁ ଏକ ଆନ୍ଦୋଳନରେ ପରିଣତ କରିବାରେ ସମର୍ଥ ହୋଇପାରିଛି । ତେବେ ପ୍ରତି ପଂଚାୟତରେ ପାଠାଗାର ଟିଏର ଆବଶ୍ୟକତାକୁ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ବେଳେ ବିଧାୟକ ଦେବେଶ ଆଚାର୍ଯ୍ୟ, ଏଡିଏମ୍‌ କୃତ୍ତିବାସ ରାଉତ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା ଏହି ଦାବୀକୁ ଯଥାର୍ଥ ବୋଲି ଉଲ୍ଲେଖ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ଅବସରରେ ପାଠାଗାରର କାର୍ଯ୍ୟକାରୀ ସଦସ୍ୟ ଅର୍ଜୁନ ସେଟ, ରାଜକୁମାର ବଂଛୋର, ଡ଼ଃ ଡୋଳାମଣି ଶତପଥୀ, ଆଲୋକ ରଞ୍ଜନ ଦାଶ୍, ସଂଘମିତ୍ରା ପଟେଲ, ଦୁଃଖୀସେବକ ସାହୁ, ପ୍ରଦୀପ୍ତ ଭାନୁ ମହାନ୍ତି, ସୁପ୍ରଭା ସାମଲ, ଦୟାନିଧି ମହାପାତ୍ର, ବାସମତି ବଂଛୋର ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.