ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଜନା ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯାହା ଫଳରେ କୋମଳମତି ଶିଶୁମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସରକାର ଅଙ୍ଗନୱାଡ଼ି କେନ୍ଦ୍ର ଖୋଲି ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସହ ଶାରୀରିକ ଓ ମାନସିକ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ହେଲେ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ନିଜସ୍ଵ ଘର ପିଣ୍ଢାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ମହୁଲପାଲି ଗ୍ରାମ ପଞ୍ଚାୟତର ମହୁଲପାଲି ଅଙ୍ଗନୱାଡ଼ି କେନ୍ଦ୍ରରେ । ସୂଚନା ଅନୁସାରେ ଏହି କେନ୍ଦ୍ରରେ ୪ଠଟି ଶିଶୁ ପାଠ ପଢ଼ୁଛନ୍ତି । ଏହି ସେଣ୍ଟରରେ ଆଖପାଖ ଗାଁମାନଙ୍କରେ ଥିବା ସେଣ୍ଟରର ମିଟିଙ୍ଗ ମଧ୍ୟ ହୁଏ । ହେଲେ ଦୁଃଖର ବିଷୟ ଯେ, ତାଙ୍କର ଅଙ୍ଗନୱାଡ଼ି ଘର ନଥିବାରୁ ସେମାନେ ପଞ୍ଚାୟତ ଅଫିସରେ ସବୁ କାର୍ଯ୍ୟ କରିବାକୁ ପଡେ । ଅଙ୍ଗନୱାଡି କର୍ମୀ ଶ୍ରୀମତୀ ମୁକ୍ତାଦେଇ ରଣା ଏଥିପ୍ରତି ଧ୍ୟାନ ଦେବା ପାଇଁ ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ଉପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଙ୍ଗନୱାଡ଼ି ଘର ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।