ବଣାଇ : ଭଗବାନ ଭରସାରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ । ୪ ବର୍ଷର ଶିଶୁକୁ ଭୁଲରେ ଦେଇଦେଲେ କୁକୁର କାମୁଡା ଇଞ୍ଜେକସନ୍ । ସାଧାରଣ କୁଣ୍ଡେଇ ହେବାରୁ ଶିଶୁ କନ୍ୟାକୁ ପରିବାର ଲୋକ ହସ୍ପିଟାଲକୁ ନେଇ ଥିଲେ । ହେଲେ ଡାକ୍ତର ଭୁଲ୍ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗତ ୨୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚିନ୍ମୟୀ ଜେନାଙ୍କ ୪ ବର୍ଷର ଶିଶୁ କନ୍ୟା ଉପରେ କୌଣସି ଏକ ପୋକ ଚଢ଼ିଯାଇଥିଲା । ଫଳରେ ଶିଶୁଟିର ଶରୀରରେ ଭୀଷଣ କୁଣ୍ଡେଇ ହୋଇଥିଲା । ପରିବାର ଲୋକ ତୁରନ୍ତ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ ହେଲେ ସେଠାରେ ଡାକ୍ତର ଲିକୁନ ମହାପାତ୍ର ଶିଶୁକୁ କୁକୁର କାମୁଡା ଇଞ୍ଜେକସନ୍ ଦେଇଦେଲେ । ଏହି ଘଟଣାକୁ ନେଇ ପରିବାର ଲୋକ ଅଭିଯୋଗ କରିବା ପରେ ବୁଧବାର ଚିନ୍ମୟୀଙ୍କୁ ଡାକି ସମ୍ପୃକ୍ତ ଡାକ୍ତର କ୍ଷମା ମାଗିଥିଲେ । ଏହା ସହିତ ପ୍ରେସକ୍ରିପସନ ଚିରି ଦେଇ ଅନ୍ୟ ଏକ ପ୍ରେସକ୍ରିପସନ ଦେଇଥିଲେ । ଅନ୍ୟପଟେ ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ନଥିବାରୁ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି ।
