tur
shyamlal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ରେ ଏକାଧିକ ରେଳ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ

  • ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେ
  • ପ୍ରଧାନମନ୍ତ୍ରୀ ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନକୁ ଉଦ୍‌ଘାଟନ କରିବେ
  • ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ ତାରିଖ ଅପରାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେ । ସେ ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନର ଉ୍‌ଦଘାଟନ କରିବା ସହ ପୂର୍ବତଟ ରେଳପଥ ଅଧିନସ୍ଥ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ । ପଠାନକୋଟ – ଜମ୍ମୁ – ଉଧମପୁର – ଶ୍ରୀନଗର – ବାରାମୁଲା, ଭୋଗପୁର ସିରୱାଲ – ପଠାନକୋଟ, ବାଟାଲା – ପଠାନକୋଟ ଏବଂ ପଠାନକୋଟରୁ ଯୋଗିନ୍ଦର ନଗର ସେକ୍ସନକୁ ମିଶାଇ ମୋଟ ୭୪୨.୧ କିଲୋମିଟର ବିଶିଷ୍ଟ ଜମ୍ମୁ ରେଳ ଡିଭିଜନ ଗଠନ ଜମ୍ମୁ ଓ କଶ୍ମୀର ଏବଂ ଆଖପାଖ ଅଞ୍ଚଳକୁ ଯଥେଷ୍ଟ ଉପକୃତ କରିବ ଏବଂ ଲୋକଙ୍କ ଦୀର୍ଘ ଦିନର ଆକାଂକ୍ଷା ପୂରଣ କରିବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ଯୋଗାଯୋଗରେ ଯଥେଷ୍ଟ ଉନ୍ନତି ଆଣିବ । ଏହା ଦ୍ୱାରା ଏ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଭିତ୍ତିଭୂମି ବିକାଶ ହେବ, ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ସାମଗ୍ରିକଭାବେ ଏ ଅଂଚଳର ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ । ତେଲେଙ୍ଗାନାର ମେଦଚାଲ-ମାଲକାଜଗିରି ଜିଲ୍ଲାରେ ଥିବା ଚାର୍ଲାପଲ୍ଲୀ ନ୍ୟୁ ଟର୍ମିନାଲ ଷ୍ଟେସନକୁ ପ୍ରାୟ ୪୧୩ କୋଟି ଟଙ୍କା ବ୍ୟୟରେ ଏକ ନୂତନ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଇଛି ଏବଂ ଏଥିରେ ଦ୍ୱିତୀୟ ପ୍ରବେଶର ବ୍ୟବସ୍ଥା କରାଯାଇଛି । ଉତ୍ତମ ଯାତ୍ରୀ ସୁବିଧା ଥିବା ଏହି ପରିବେଶ ଅନୁକୂଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚେଗୁଡା ଭଳି ସହରରେ ଥିବା କୋଚିଂ ଟର୍ମିନାଲରେ ଭିଡ଼ ହ୍ରାସ କରିବ । ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳଡିଭିଜନ ଭବନର ଶିଳାନ୍ୟାସ କରିବେ । ଏହା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଏହାଫଳରେ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ ।

Leave A Reply

Your email address will not be published.