ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାୟଗଡା ସବ ଡିଭିଜନ ଅଫିସ ସହ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ କେତେଟି ସ୍ଥାନରେ ଶିଳାନ୍ୟାସ କରିଛନ୍ତି ଏହା ସହ ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପର ନିର୍ମାଣ ପାଇଁ ଆନୁମାନିକ ୧୦୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ଯାହା ଓଡିଶା, ଆନ୍ଧ୍ରପ୍ରଦେଶ ସଂଯୋଗ ହୋଇପାରିବ ଏବଂ ଜମ୍ମୁ କାଶ୍ମୀର ସହ ଏହାର ଆଖପାଖ ଅଞ୍ଚଳରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ନିର୍ମାଣ କାର୍ଯ୍ୟ ନୂତନ ରେଳମଣ୍ଡଳ କାର୍ଯ୍ୟାଳୟ ଭବନ ସହ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ, ଅଧିକାରୀ ଏବଂ କର୍ମଚାରୀଙ୍କ ରହିବା ପାଇଁ ଆଧୁନିକ ଆବାସ ସୁବିଧା ଯୋଗାଇବ ବୋଲି କହିଛନ୍ତି । ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଏକ ଉଲ୍ଲେଖନୀୟ ଘଟଣା ଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହି ଏହାର ଶିଳାନ୍ୟାସ କରିଥିଲେ । ରାୟଗଡା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବକ୍ତବ୍ୟ ଦେଇଥିଲେ ଯେ, ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଧାନର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଆଦିବାସୀ ଅଞ୍ଚଳରେ ଶିଳ୍ପ ବିକାଶ କରିବା ଦ୍ୱାରା ଅଧିକ ସ୍ଥାନୀୟ ନିଯୁକ୍ତି ମିଳିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ନିମନ୍ତେ ଆଗାମୀ ଦିନରେ ମେଡିକାଲ କଲେଜ ସ୍ଥାପନ ପାଇଁ ସରକାର ବିଚାର କରିବେ ବୋଲି କହିଥିଲେ । ଭାରତ ସରକାରଙ୍କ ରେଳବାଇ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ ଏବଂ ଏହି ଅଞ୍ଚଳର ବହୁ ବିଶିଷ୍ଟ ଅତିଥି ଯଥା ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ମନ୍ତ୍ରୀ ଓଡିଶା, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେଓ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ରାୟଗଡ ବିଧାୟକ କାଡ୍ରାକା ଆପଲସ୍ୱାମୀ, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ, ରେଳ ବିଭାଗ ଡିଆରଏମ ମନୋଜ କୁମାର ସାହୁଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱାରୀ, ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍‌ କୁମାର ଓ ରେଳ କର୍ତୃପକ୍ଷ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର କମ୍ଭମପତି ହରି ବାବୁ ଭିଡଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିଥିବା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ରାୟଗଡା ରେଳ ମଣ୍ଡଳର କାର୍ଯ୍ୟାଳୟ ଭବନ ଶିଳାନ୍ୟାସ, ଜାମ୍ମୁ ରେଳ ମଣ୍ଡଳ ଏବଂ ଚର୍ଲାପଲ୍ଲୀ ଟର୍ମିନାଲ ଷ୍ଟେସନର ଉଦ୍‌ଘାଟନକୁ ତଦାରଖ କରିବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.