ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ନାଚିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଳିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଶିଶୁ ଦିବସ ଦିନ ସ୍କୁଲ ପୋଷାକ ପରିଧାନ କରି ଛାତ୍ରଛାତ୍ରୀଙ୍କ ସହିତ ନାଚୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସେହି ଶିକ୍ଷୟିତ୍ରୀ ଜଣକ ହେଲେ ସେହି ସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଭୋଇ । ଶିକ୍ଷୟିତ୍ରୀ ଶ୍ରୀମତୀ ଭୋଇଙ୍କ କହିବା ମୁତାବକ, ତାଙ୍କର ସ୍କୁଲରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ନେହ ଶ୍ରଦ୍ଧାରେ ଆପଣାଇ ଥାନ୍ତି । ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିଶୁ ଦିବସ ଉପଲକ୍ଷେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସେହି ଉପଲକ୍ଷେ ସ୍କୁଲ କେବିନେଟ ମନ୍ତ୍ରୀ ମଣ୍ଡଳରେ ଥିବା ବିଭିନ୍ନ ମନ୍ତ୍ରୀଙ୍କ ସହ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ସେଦିନ ଷ୍ଟେଜରେ ବସିବାର ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସ୍କୁଲ ଛାତ୍ରୀଙ୍କ ପୋଷାକ ପରିଧାନ କରି ଷ୍ଟେଜରେ ବସିଥିଲେ । ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସ୍ଥିର ଅଭିଭାଷଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଡେନ୍ସ ପ୍ରତିଯୋଗୀତା ସମୟରେ ଏକ ସମ୍ବଲପୁରୀ ଗୀତରେ ଛାତ୍ରଛାତ୍ରୀଙ୍କ ଅନୁରୋଧ ରକ୍ଷା କରି ଶିକ୍ଷୟିତ୍ରୀ ଜଣକ ଷ୍ଟେଜରୁ ଆସି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ନିଜେ ନାଚିଥିଲେ । ଯାହାକୁ ଦେଖି ସ୍କୁଲରେ କାର୍ଯ୍ୟରତ ଅନ୍ୟାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହ ପରିଚାଳନା କମିଟିର କିଛି ସଦସ୍ୟ ତାଙ୍କ ସହ ଝୁମୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!