ଖପ୍ରାଖୋଲ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଗଠନ

  • ୬ ବର୍ଷ ଚାକିରି କାର୍ଯ୍ୟକାଳକୁ ମୂଳ ଚାକିରି ଭାବେ ସାମିଲ କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କନିଷ୍ଠ ଶିକ୍ଷକ ସଂଘର ଏକ ବୈଠକ ପ୍ରଦୀପ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘରେ ଖାଲି ପଡ଼ିଥିବା ସ୍ଥାନରେ ନୂତନ କର୍ମକର୍ତ୍ତା ମନୋନୀତ ତଥା ସଂଘର ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଗତ ୨୦୦୯ ମସିହାରୁ ଶିକ୍ଷକ ସଂଘର ସଭାପତି ରୂପେ ଲାଠୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କୌଦଣ୍ଡ ନାୟକ କାର୍ଯ୍ୟ ତୁଲାଇ ଆସୁଥିଲେ । ଶ୍ରୀ ନାୟକ ବ୍ୟକ୍ତିଗତ ତଥା ପାରିବାର ସମସ୍ୟା ଥିବାରୁ ଅନ୍ୟ ଜଣଙ୍କୁ ସଭାପତି ଭାବେ ଦାୟିତ୍ୱ ଦେବାକୁ ସେ ସଂଘକୁ ଲିଖିତ ଜଣାଇବାପରେ ସଂଘର ବୈଠକରେ ସର୍ବସମ୍ମତିକ୍ରମେ ଶିକ୍ଷକ ସଂଘର ଏକ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ପ୍ରଦୀପ କୁମ୍ଭାର ଉପସଭାପତି ସୌଦାମିନୀ ବିଶି, ସଂପାଦକ ସୌମ୍ୟ ରଞ୍ଜନ ନାଏକ, କୋଷାଧ୍ୟକ୍ଷ ପଙ୍କୁ ସେଠଙ୍କୁ ମନୋନୀତ କରାଯାଇଥିଲା । ସଂଘର ପୂର୍ବତନ ଉପସଭାପତି ଅମ୍ବିକା କଲେତ ସଂଘ ମଜବୁତ କରିବାକୁ ହେଲେ ନିୟମାବଳୀ ଖସଡ଼ା ପ୍ରସ୍ତୁତ କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ । ଏକଜୁଟ ହୋଇ କାମ କରିବାକୁ ସଭାପତି ଶ୍ରୀ ନାଏକ ସମସ୍ତକୁ ଆହ୍ୱ।ନ କରିଥିଲେ । ଚୁକ୍ତିଭିତ୍ତିକ ପ୍ରସ୍ଥା ଉଚ୍ଛେଦ ସମୟରେ କନିଷ୍ଠ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବାରୁ ଭୁବନେଶ୍ଵର ରାଜରାସ୍ତାକୁ ଓହ୍ଲାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ନିୟମିତ ଶିକ୍ଷକ ମାନ୍ୟତା ଦେବା ସହ ଛଅ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ସାମିଲ କରିବାକୁ ଦାବୀ କରାଯାଇଥିଲା । ଏଥିରେ ବ୍ଲକ ସମସ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!