
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଗର୍ଭବତୀ ବନିଆ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ସମ୍ପର୍କିତ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସ୍ତରୀୟ ତଦନ୍ତ ପ୍ରକ୍ରିୟା କରାଯାଉଥିବା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି । ସେହିପରି ଦାରିଙ୍ଗବାଡ଼ି ସମନ୍ୱିତ ଶିଶୁ ଓ ମହିଳା ବିକାଶ ଯୋଜନାର ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ମଧ୍ୟ ଘଟଣାର ତଦନ୍ତ ପାଇଁ ଜଣେ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଇବା ପରେ ସୁପରଭାଇଜର ସୁଜାତା ସାହୁ ତଦନ୍ତ କରି ଫେରିଥିବା ବେଳେ ପୁଣି ତଦନ୍ତ ପାଇଁ ଯିବେ ବୋଲି ସିଡିପିଓ କହିଛନ୍ତି । ତେବେ ଆଶାକର୍ମୀ ନିର୍ମାତା ପ୍ରଧାନ ଯଦି ପୂର୍ବରୁ ଗର୍ଭବତୀ ଥିବା ବାନିଆଙ୍କୁ ବାରମ୍ବାର ହସ୍ପିଟାଲ ନେଇସ୍ୱାସ୍ଥ୍ୟ ପରୀକ୍ଷା କରାଇଥାନ୍ତେ ତେବେ ଆଜି ଏଭକି ବନିଆଙ୍କ ମୃତ୍ୟୁ ଘଟି ନ ଥାନ୍ତା ବୋଲି ମୃତ ବନିଆଙ୍କ ସ୍ୱାମୀ ସଞ୍ଜୀବ ପ୍ରଧାନ, ଗ୍ରାମର ସୁକାନ୍ତ ପ୍ରଧାନ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି । ଏମିତିକି ବନିଆ ରବିବାର ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ । ସେହିଦିନ ତାଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ସଞ୍ଜୀବ ବହୁତ ନେହୁରା ହୋଇଥିଲେ ମଧ୍ୟ ଆଶାକର୍ମୀ ଗର୍ଭବତୀଙ୍କ ସହ ଯାଇ ନ ଥିଲେ ତେଣୁ ଆଶାକର୍ମୀଙ୍କ ବିରୋଧରେ ମୃତକଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଏନେଇ ଆଶାକର୍ମୀ କହିଛନ୍ତି ସେ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨ ଥର ନେଇଥିଲେ । ତାଙ୍କର ଅଲଟ୍ରାସାଉଣ୍ଡ ହେଲେ ସମସ୍ୟା ଜଣାପଡ଼ିଥାନ୍ତା । ତେବେ ଦାରିଙ୍ଗବାଡ଼ିରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନ ଥିଲା । ତେଣୁ ତାଙ୍କର ଗଭୀର ସମସ୍ୟା ସମ୍ପର୍କରେ ଜଣାପଡ଼ି ନ ଥିଲା ବୋଲି ସେ କହିଛନ୍ତି । ସେହିଦିନ ତାଙ୍କ ପିଲାର ସ୍ୱାସ୍ଥ୍ୟ ଖରାପ ରହିଥିବାରୁ ସେ ବନିଆଙ୍କ ସହ ଯାଇପାରି ନ ଥିଲେ କିନ୍ତୁ ତାଙ୍କ ପଡ଼ୋଶୀ ଆଶାକର୍ମୀ ତାଙ୍କ ସହ ଥିଲେ ବୋଲି ନାହୁଡ଼ସରୁର ଆଶାକର୍ମୀ ନିର୍ମାତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସୂଚନାଯୋଗ୍ୟ, ରବିବାର ବନିଆଙ୍କ ପେଟ ପ୍ରବଳ ବ୍ୟଥା ହେବା ସହ ରକ୍ତସ୍ରାବ ବୃଦ୍ଧି ପାଇଥିଲା ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଆଶା ଏବଂ ବନିଆଙ୍କ ସ୍ୱାମୀ ବନିଆଙ୍କୁ ଗାଁକୁ ଫେରେଇ ଆଣିଥିଲେ । ତେବେ ଘରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ର ଓ ପରେ ସେଠାରୁ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପୂର୍ବାହ୍ନରେ ମୃତ୍ୟୁ ହୋଇଥିବା ମୃତ ବନିଆଙ୍କ ସ୍ୱାମୀ ସଞ୍ଜୀବ କହିଛନ୍ତି ।