
ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ. ଧନେଶ୍ୱର ସେଠୀ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଶିବିରରେ ୫୨ଗୋଟି ବ୍ୟକ୍ତିଗତ ଓ ୫ଟି ଗୋଷ୍ଠିଗତ ମୋଟ ୫୭ଗୋଟି ଅଭିଯୋଗର ଶୁଣାଣୀ ଜିଲ୍ଲାପାଳ କରିଥିଲେ । ସମସ୍ତ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି, ୨ ଜଣ ଅସହାୟ- ଗିରିଜା ପଟେଲ ଓ ଜାନି ନିଆଲଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏ ତତ୍କାଳୀନ ସହାୟତା ପ୍ରଦାନ କରାଯାଇଥିଲା । ବିଡ଼ିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ଵର ଜାଲ, ଡେପୁଟି ଜିଲ୍ଲାପାଳ ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ କୁରେଶ୍ୱର ଗ୍ରାମ ପଞ୍ଚାୟତର ଉଦ୍ୟାନବନ୍ଧରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୃହପାଳିତ ପଶୁପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ “ପ୍ରାଣୀ ପାଇଁ ଦିନଟିଏ” ନାମରେ ଗୋଟିଏ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା ।