ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବର ୪୮ତମ ପ୍ରତିଷ୍ଠା ଦିବସ ପାଇଁ ଟାଉନ କ୍ଲବ ଓ କ୍ରିଷ୍ଣା ବିକାଶ ହସ୍ପିଟାଲ ଆନୁକୂଲ୍ୟରେ ଟାଉନ କ୍ଲବ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରିବା ପାଇଁ ଆଜି ଟାଉନ କ୍ଲବ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଇଯାଇଥିଲା । ଟାଉନ୍ କ୍ଲବ ଉପ ସଭାପତି ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସନ୍ତା ଫେବୃୟାରୀ ୧୭ ତାରିଖ ସକାଳ ୯ ଘଣ୍ଟାରୁ ୧ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ସକାଳ ୯ ଘଣ୍ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଉପସ୍ଥିତ କିଡନୀ ରୋଗ, ଗ୍ୟାଷ୍ଟୋ ସର୍ଜରୀ, ଚର୍ମରୋଗ, ଅସ୍ଥିଶଲ୍ୟ, ମେଡିସିନ, କର୍ଣ୍ଣ ନାସା ଗଳା, ଛାତି ଓ ଫୁସଫୁସ, ଦନ୍ତରୋଗ ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ସେବା ପ୍ରଦାନ କରାଯିବ ଓ ଏଥିରେ ଜନସାଧାରଣ ଚିକିତ୍ସା ସେବା ଗ୍ରହଣ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହା ବ୍ୟତୀତ ପୂର୍ବ ନିଷ୍ପତ୍ତି ଅନୁସାରେ ଗତ ୨୦୨୫ ଲୋକ ମହୋତ୍ସବ ସମୟରେ ଜନସାଧାରଣଙ୍କ ଯାନବାହାନ ଶୃଙ୍ଖଳା ସହ ରଖିବା ପାଇଁ ଯେଉଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ସେଥିରୁ ପ୍ରାୟ ୪୦ ହଜାର ଟଙ୍କା ପାର୍କିଂ ଫି ସଂଗ୍ରହ କରାଯାଇଥିଲା । ଉକ୍ତ ଫି’ର ସମସ୍ତ ଅର୍ଥ ରାଶିକୁ ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯିବା ସହ ଲୋକ ମହୋତ୍ସବର ସାଂସ୍କୃତିକ ଶୋଭାଯାତ୍ରା ସମୟରେ ସମସ୍ତ ଝାଙ୍କର ନିଜ ନିଜ ପିଠରୁ ଆଣିଥିବା ମା’ ମାଟିକୁ ଏକତ୍ରିତ କରି ବୃକ୍ଷରୋପଣ କାର୍ଯ୍ୟ କରିବା ପାଇଁ ଘୋଷଣା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ କ୍ଲବର ଉପସଭାପତି ଅଶୋକ ମିଶ୍ର, ନରେଶ ସୁନ୍ଦର ସାହୁ, ସମ୍ପାଦକ କୁନାଲ ପାଣିଗ୍ରାହୀ, ସହ ସମ୍ପାଦକ ଅଖିଳ ପଟ୍ଟନାୟକ, ପ୍ରମୋଦ ମେହେର, ସୋମେଶ ମହାନ୍ତି ପ୍ରମୁଖଙ୍କ ସମେତ କ୍ଲବର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମ୍ପାଦକ କୁନାଲ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post