ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସାକ୍ଷରତା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲା ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସାକ୍ଷରତା ଶିବିର ଆୟୋଜିତ ହୋଇଯାଇଛି । ଶିବିରରେ ସହକାରୀ ଜିଲ୍ଲାପାଳ ସୁଦାମ କୁମାର ସ୍ୱାଇଁ, ଡାକ ବିଭାଗର ଜ୍ୟୋତିର୍ମୟୀ ମଲ୍ଲିକ, ଡାକ ଜୀବନ ବୀମା ପକ୍ଷରୁ ରୁଦ୍ର ଶଙ୍କର ସାହୁ, ସାଇବର ପୋଲିସ୍ ଷ୍ଟେସନର ପ୍ରଜ୍ଞା ପାରମିତା ନାୟକ, ଅଜିତ କୁମାର ଗୌଡ଼ ଏବଂ କୈଳାସ ଚନ୍ଦ୍ର ମହାରଣା ଅତିଥି ଭାବେ ଯୋଗଦେଇ ସଞ୍ଚୟର ଗୁରୁତ୍ୱ, ବିଭିନ୍ନ ସଞ୍ଚୟ ଯୋଜନା, ସାଇବର ଠକେଇ ଏବଂ ସେଥିପାଇଁ ନିଆଯାଉଥିବା ପ୍ରତିରୋଧକ ପଦକ୍ଷେପ ଆଦି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଯୁବପିଢ଼ିଙ୍କ ମଧ୍ୟରେ ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ ଏବଂ ଆର୍ଥିକ ଶୃଙ୍ଖଳାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନଶିକ୍ଷକ କାଳୀଚରଣ ସାହୁ ସ୍ୱାଗତ ଭାଷଣ ଦେବା ସହ ଏହି ଶିବିରରୁ ଅର୍ଜିତ ଜ୍ଞାନକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସୁଦାମ କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଶିବିରରେ ପ୍ରାୟ ୪୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.