ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ଓ କାର୍ଯ୍ୟକାରୀ ସଂସ୍ଥା “ଆଦର୍ଶ”ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ “ଆତ୍ମା” ଅଫିସ ସଭାଗୃହରେ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା ଯୋଗଦେଇ ରବିଋତୁରେ ଡାଲି ଜାତୀୟ ଫସଲ ଉତ୍ପାଦନର ଉପାଦେୟତା, ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ତଥା ଜମିର ଉର୍ବରତା ବଜାୟ ରଖିବା ସକାଶେ ଜୈବିକ ଖତ ଓ ଅଣୁସାର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ ବଡ଼ପଣ୍ଡା ଓ ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା ଯୋଗଦେଇ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସୂଚନା ପ୍ରଦାନ କରିବା ସହିତ ଧାଡ଼ିବୁଣା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ତାଲିମ ଶିବିରରେ ଲୋଇସିଂହା ଓ ଆଗଲପୁର ବ୍ଲକର ବ୍ଲକ ସଂଯୋଜକ ତଥା ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକାରୀ ସଂସ୍ଥା “ଆଦର୍ଶ”ର ମୁଖ୍ୟ ପରିଚାଳକ ପ୍ରଦୀପ ବେହେରା ସ୍ୱାଗତ ଭାଷଣ ସମେତ ଧନ୍ୟବାଦ୍ ଅର୍ପଣ କରିଥିଲେ ।