ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଛୋଟ ଛୋଟ ଛୁଆମାନଙ୍କୁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ତରଫରୁ ରବିବାର ଦିନ ଏକ ଦିବସୀୟ ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଆୟୋଜିତ ହୋଇଯାଇଛି । ଏହି ଚିକିତ୍ସା ଶିବିରରେ ରାୟପୁର ବାଲ ଗୋପାଲ ଶିଶୁ ହସ୍ପିଟାଲର ସମସ୍ତ ବିଶେଷଜ୍ଞ ଡାକ୍ତରମାନେ ଆସି ନିଃଶୁଳ୍କ ଶିଶୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ସଦସ୍ୟଙ୍କୁ ନେଇ ଏହି ଭଳି ମହତ କାମ ପାଇଁ ରାୟପୁର ବାଲ ଗୋପାଲ ହସ୍ପିଟାଲର ଡାଇରେକ୍ଟର ଅଶୋକ ଭଟ୍ଟରଙ୍କ ସହ ୧୧ ଜଣ ଡାକ୍ତର ଏବଂ ମେନେଜମେଣ୍ଟ କମିଟିର ସଦସ୍ୟ ସଞ୍ଜୟ ଶର୍ମା ଓ ନର୍ସିଂ ଷ୍ଟାଫ ୧୪ ଜଣ ଆସି ଏହି ଶିବିରରେ ଶିଶୁଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ । ଯେଉଁ ଶିଶୁମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବ କିମ୍ୱା ଅସ୍ତ୍ରୋପଚାର କିମ୍ୱା ଜଟିଳ ରୋଗ ଥିବ ସେମାନଙ୍କୁ ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ମଧ୍ୟ ଚିକିତ୍ସା ସେବା ପାଇ ପାରିବେ ବୋଲି ଆୟୋଜକ କମିଟି ସଦସ୍ୟମାନେ ସୂଚନା ଦେଇଛନ୍ତି । ଏହି ଶିବିରକୁ ପରିଚାଳନା କରିବାରେ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚର ସଭାପତି ଗୋପାଳ ଜୈନ, ସମ୍ପାଦକ ରାହୁଲ ଜୈନ, ମଣ୍ଡଳୀୟ ଉପାଧ୍ୟକ୍ଷ ଅଙ୍କୁର ଅଗ୍ରୱାଲ, ସଦସ୍ୟ ଭୂପେନ ଜୈନ, ଲଳିତ ଅଗ୍ରୱାଲ, ନେମି ଚନ୍ଦ ଶର୍ମା, ଅରୁଣ ଅଗ୍ରୱାଲ, ଗଜାନନ୍ଦ ଜୈନ୍, ଶ୍ରୀରାମ ଅଗ୍ରୱାଲ, ବିଶେଷ ଶର୍ମାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.