ଶ୍ରଦ୍ଧାରେ ବିଦ୍ୟୁତ୍ ସମ୍ବନ୍ଧୀୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଟାଟା ପାୱାର ପଶ୍ଚିମ ଓଡ଼ିଶା ଶାଖା ଆନୁକୂଲ୍ୟରେ ଶ୍ରଦ୍ଧା ବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂସ୍ଥାର ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସୁନୀତା ମିଶ୍ର, ନିର୍ମଳା ପିଟର, ପ୍ରଦୀପ କୁମାର ଭୋଗ ଏବଂ କବିତା ଦଦେଲ ପ୍ରମୁଖ ଉକ୍ତ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ପ୍ରଧାନ, ନିର୍ମଳା ପିଟର, ସୁନୀତା ମିଶ୍ର ତାଙ୍କ ବକ୍ତବ୍ୟରେ ବିଦ୍ୟୁତ ପରିଚାଳନା ଓ ସଂଯୋଗ ତଥା ସାବଧାନତା ଉପରେ ବିବରଣୀ ଦେଇଥିଲେ । ଘରେ ବ୍ୟବହୃତ ହେଉଥିବା ବିଦ୍ୟୁତକୁ ଅପଚୟ ନକରି ସାବଧାନତାର ସହିତ ବ୍ୟବହାର କରିବା ଦରକାର । ବୈଦ୍ୟୁତିକ ସରଞ୍ଜାମ ଗୁଡ଼ିକ ମରାମତି ବେଳେ ମେନ୍ ସୁଇଚ୍‌କୁ ବନ୍ଦ କରିବା ଓ ଶୁଷ୍କ ହାତରେ ମରାମତି କାର୍ଯ୍ୟ କରିବା ଦରକାର । ଅଯଥାରେ ଫ୍ୟାନ, ଲାଇଟ୍ ଇତ୍ୟାଦି ଜାଳନ୍ତୁ ନାହିଁ । ଘର ସାମ୍ନାରେ ମିଟର ବାକ୍ସ ଲଗାନ୍ତୁ । ବର୍ଷା ସମୟରେ ଘଡଘଡି, ବିଜୁଳି ମାରୁଥିବା ବେଳେ ଟିଭି, କମ୍ପୁଟର ଆଦିକୁ ପ୍ଳଗରୁ ବିଛିନ୍ନ ରଖନ୍ତୁ । ଆଉ ନିଜର ମୋବାଇଲକୁ ସୁଇଚ ଅଫ କରିବା ନି‌ହାତି ଜରୁରୀ ବୋଲି ମତ ରଖିଥିଲେ । ଏହା ସହିତ ଏହାର ପରିଚାଳନା ସାବଧାନତା ଉପରେ ସୂଚନା ଦେଇଥିଲେ ଏବଂ ଶ୍ରଦ୍ଧାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଅନୁଷ୍ଠାନର କାର୍ଯ୍ୟକ୍ରମ ଉପରେ ବିବରଣୀ ରଖିଥିଲେ । ସେ ଦର୍ଶାଇଥିଲେ ଯେ, ଆମର ଏହି ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଠାରେ ବିଶେଷ ଭାବରେ କିଛି ଅନ୍ୟ ଗୁଣ ରହିଛି । ଯାହା ଦ୍ୱାରା ଏମାନେ କିଛି କାମ ଆମଠୁ ଅଧିକ ଓ ଭଲ ଭାବରେ କରି ପାରିଥାନ୍ତି । ଅନେକ ଗୁଡିଏ କାମରେ ଏମାନେ ନିଖୁଣ ଭାବରେ କରି ଆମ ସମାଜରେ ବେଶ ଆଦୃତ ଓ ପ୍ରଶଂସିତ ହୋଇଛନ୍ତି । ଉପସଭାପତି ଅଶୋକ କୁମାର ବଳ ସଭାରେ ପୌରୋହିତ କରିବା ସହିତ ଅନୁଷ୍ଠାନର ଉତ୍କର୍ଷତାର ବିଷୟରେ ଆଲୋକପାତ କରିଥିଲେ ଏବଂ ଶ୍ରଦ୍ଧା ଅନୁଷ୍ଠାନ ହାତ ବଢ଼ାଇବାକୁ ଶ୍ରଦ୍ଧାର ସହିତ ଆଗକୁ ନେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ଶାଖା ଦ୍ଵାରା ପିଲାମାନଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧାର ସ୍ଵତନ୍ତ୍ର ପିଲାମାନେ ସେମାନଙ୍କର ଗୁଣବତ୍ତାର ପରିଚୟ ପ୍ରଦାନ ସ୍ଵରୁପ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗୀତରେ ରଶ୍ମି, ଗୌରୀ, ସନ୍ତୋଷ, ଆରତୀ ଓ ନାଚରେ ରଶ୍ମି, ଦିବାକର, ନର୍ମଦା, ଏକକ ଅଭିନୟରେ ସନ୍ତୋଷ, ଆରତୀ ଭାଗ ନେଇ ମନୋମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ, ଇତିଶ୍ରୀ ଦାସ, ଧୀରେନ ଓଝା ପ୍ରଭୃତି ପରିଚାଳନା କରିଥିଲେ ।

Leave A Reply

Your email address will not be published.