- ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର ସୋମବାର ଖପ୍ରାଖୋଲ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୬୬ଟି ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା । ସମସ୍ତ ଅଭିଯୋଗର ଶୁଣାଣି କରି ପୃଥକ୍ ଭାବେ ଏବଂ ନିର୍ଦ୍ଧାରିତ ଦିନ ମଧ୍ୟରେ ଏଗୁଡ଼ିକର ସମାଧାନ କରି କାର୍ଯ୍ୟକାରୀ ରିପୋର୍ଟ ଦାଖଲ କରିବାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ପ୍ରତ୍ୟେକ ଜନ ଶୁଣାଣି ଶିବିରରେ ଅଭିଯୋଗ ଗ୍ରହଣ ହେଉଥିଲେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ଏଗୁଡ଼ିକର କୌଣସି ସମାଧାନ ହେଉ ନଥିବାରୁ ଏହା କେବଳ ଲୋକ ଦେଖାଣିଆ ବୋଲି ଉକ୍ତ ଜନ ଶୁଣାଣି ଶିବିରରେ ଲୋକେ ଆଲୋଚନା କରୁଛନ୍ତି । ଲୋକଙ୍କ କହିବା ଅନୁସାରେ ଜିଲ୍ଲାପାଳ ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ଶୁଣାଣି କରି ସମାଧାନର ନିର୍ଦ୍ଧିଷ୍ଟ ଉପାୟ ସ୍ଥିରିକୃତ କରିବା ସହିତ ସମୟ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେମିତି ବ୍ୟବସ୍ଥା କରାଯିବ ସେ ଦିଗରେ ଧ୍ୟାନ ଦେଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଶାରୀରିକ ଅକ୍ଷମତା ଥିବା ଲୋକଙ୍କୁ କିଛି ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଆଜି ଖପ୍ରାଖୋଲର ବିଭିନ୍ନ ଜାଗାରେ ନୂତନ ଭାବରେ ତିଆରି ହୋଇଥିବା ପ୍ରକଳ୍ପ ଗୁଡିକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଉଦ୍ଘାଟନ କରିଛନ୍ତି । ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗ୍ରାମରେ ମୃତ୍ତିକା ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଥିବା ବେଳେ ଲବଣଯୁକ୍ତ ଜମି ଫସଲ ଉତ୍ପାଦନରେ ପରିପନ୍ଥୀ ଓ ବାଧକ, କୃଷକ ବନ୍ଧୁମାନେ କେଉଁ ଜମିରେ କେଉଁ କିସମର ଫସଲ ଚାଷ କଲେ ଲାଭବାନ ହେବେ ଓ ମୃତ୍ତିକାର ଗୁଣବତ୍ତା ଅକ୍ଷୁର୍ଣ୍ଣ ରହିବ ତାହା ଜାଣିବା ପାଇଁ ଚାଷୀ ଉପଯୋଗୀ ଜମିର ମୃତ୍ତିକା ପରୀକ୍ଷା ଅପରିହାର୍ଯ୍ୟ ବୋଲି କହିଥିଲେ । ସେହିପରି ସଦର ଖପ୍ରାଖୋଲଠାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ନିର୍ମିତ ହରିଶଙ୍କର ଦର୍ଶନ ଅଗରବତୀ ଗୃହ ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂ, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ହୋତା, ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ସହ ବିଭିନ୍ନ ବିଭାଗର ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ ।