ଉପରଝରରେ ଜିଲ୍ଲା ପ୍ରଶାସନର ଜନ ଶୁଣାଣି ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଉପରଝର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ମୁଖିଆ ଓ ଏସ୍‌ପି ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିବେ । ଦେଓଗାଁ ବ୍ଲକର ଯେ କେହି ବି କୋଣ ଅନୁକୋଣରୁ ଆସି ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ କରିପାରିବେ । ଏପରି ପ୍ରଚାରିତ ହେବା ପରେ ଶହ ଶହ ସଂଖ୍ୟାରେ ଉପରଝର ପଞ୍ଚାୟତରେ ସକାଳ ୮ଟାରୁ ୧୨ଟା ଯାଏଁ ଜନ ଗହଲି ଲାଗିଥିଲା । ହେଲେ ଅଭିଯୋଗ ଶୁଣିବାକୁ ଆସି ନ ଥିଲେ ଜିଲ୍ଲାପାଳ ଓ ଏସ୍‌ପି । ଶୁଣିବାକୁ ମିଲିଲା ଯେ, ବଲାଙ୍ଗିରରେ ରାଜ୍ୟପାଳ ଆସିଥିବାରୁ ସେ କାମରେ ବ୍ୟସ୍ତ ଅଛନ୍ତି । ଏହି ବିଷୟ ପ୍ରଚାର ହେବା ପରେ ଅଭିଯୋଗ କରିବା ପାଇଁ ଆସିଥିବା ହିତାଧିକାରୀଙ୍କ ମନରେ ଆଘାତ ଲାଗିତଥିଲା । କେବଳ ଆଜି ନୁହେଁ ଦେଓଗାଁ ବ୍ଲକର ପୂର୍ବାଞ୍ଚଳରେ ଗତ ଡିମେମ୍ବର ୧୯ ତାରିଖ ହୋଇଥିବା ଯୁଗ୍ମ ଜନ ଶୁଣାଣି ଶିବିରରେ ମଧ୍ୟ କୌଣସି କାମରେ ବ୍ୟସ୍ତତା ହେତୁ ଉଭୟେ ଜିଲ୍ଲାପାଳ ଓ ଏସ୍‌ପି ଅନୁପସ୍ଥିତ ଥିଲେ । ତଥାପି ଅଭିଯୋଗ କରିବାକୁ ଆସିଥିବା ହିତାଧିକାରୀମାନେ ଅଭିଯୋଗ କରିଥିଲେ । ଆନୁଷ୍ଠାନିକ ଭାବେ ଜଣାପଡ଼ିଛି ଯେ, ୬୫ ଜଣ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗରେ ମୁଖ୍ୟତଃ ଶ୍ରମ ନିଯୁକ୍ତି ସହ ନିର୍ମାଣ ଶ୍ରମିକ କାର୍ଡ଼, କାଳିଆ ଯୋଜନାରେ ନାମ ନ ଥିବାରୁ ଅଭିଯୋଗ କରିଥିଲେ । ସେହିପରି ସାମୁହିକ ଅଭିଯୋଗରେ କୁନ୍ଦେଇମାଲରୁ ଭୀମପାହାଡ଼କୁ ରାସ୍ତା ନିର୍ମାଣ, ବଡ଼ବାହାଲରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି‌ଷ୍ଠା, ଉପରଝରରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ପରି ଅନେକ ଦାବୀ ଉପସ୍ଥାପନା କରିଥିଲେ । ସେହିପରି ୧୫୪ଜଣ ଯୋଗ୍ୟ ହିତାଧିକାରୀ ଆବାସ ଘର ପାଇ ନ ଥିବାରୁ ଆବାସ ଘର ପାଇବା ପାଇଁ ଲିଖିତ ଅନୁରୋଧ କରିଥିଲେ । ଏହି ଅବସରରେ ଜଣେ ଭିନ୍ନକ୍ଷମ ଓ ୩ ଜଣଙ୍କୁ ନୂତନ ଭତ୍ତା ଯୋଜନାରେ ସାମିଲ କରି ଭତ୍ତା ଅର୍ଥ ପ୍ରଦାନ କରାଯାଇଥିଲା ।

ଏହି ଜନ ଶୁଣାଣି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ, ଉପଜିଳ୍ଲାପାଳ କୁମାର ନାଗଭୂଷଣ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ, ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ବିଡ଼ିଓ ସୁରେନ୍ଦ୍ର ମେହେର, ଏବିଡିଓ ପୁଷ୍ପାଞ୍ଜଳି ନାଏକ, ତହସିଲଦାର ଯୁଗଳ କିଶୋର ପଧାନ, ଜିପିଇଓ ବୀଣା ପଧାନ ସହ ସମସ୍ତ ବ୍ଲକ କର୍ମଚାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.