ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଚନ୍ଦକା ପଂଚାୟତ କୁଜିମହଲ ଠାରେ ଉନ୍ନତ ଭାରତ ଯୋଜନା ପରିପ୍ରେକ୍ଷୀରେ ଏକ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଛତୁ ଚାଷ ବିଶାରଦ ରାକେଶ ରୋଶନ ଶତପଥି ଓ ତାଙ୍କ ସହକାରୀ ଦିବ୍ୟ ଜ୍ୟୋତି ସ୍ୱାଇଁ ଯୋଗ ଦେଇ ଛତୁ ଚାଷକୁ କିପରି ବ୍ୟବସାୟଭିତ୍ତିକ କରିହେବ ସେହି ବିଷୟରେ ଚାଷୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଛତୁ ଚାଷଜନିତ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ପ୍ରଣାଳୀ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମର ଶେଷରେ ସମସ୍ତ ଚାଷୀମାନଙ୍କୁ ଛତୁ ଚାଷ ପାଇଁ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏନ୍ଏସ୍ଏସ୍ର କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଏବଂ ପ୍ରୋଗ୍ରାମ ଅଫିସର ରାଜୀବ କୁମାର ବେହେରାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଶିବିରରେ ୧୦ ଜଣ ଚାଷୀ ଓ ଏନଏସ୍ଏସ୍ର ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।
Prev Post