ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ ଶିବିର

  • ଦିବ୍ୟାଙ୍ଗମାନେ ସରକାରୀ ଯୋଜନାରେ ସାମିଲ ହେବାକୁ ଆହ୍ୱାନ

ଖପ୍ରାଖୋଲ, (ଅଶୋକ ବାଗ) : ଦିବ୍ୟାଙ୍ଗ ସନ୍ତାନମାନଙ୍କୁ ଉପଯୁକ୍ତ ଲାଳନ ପାଳନ କରିବା ସହିତ ସେମାନଙ୍କୁ ସ୍ନେହ, ଶ୍ରଦ୍ଧା ଦେବା ଉଚିତ । ସେମାନଙ୍କ ମୁହଁରେ ହସ ଫୁଟାଇବା ସହିତ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର କର୍ତବ୍ୟ ଅଟେ । ଦିବ୍ୟାଙ୍ଗମାନେ ଅଧିକରୁ ଅଧିକ ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବାକୁ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ ଶିବିରରେ ଅତିଥିମାନେ ଯୋଗଦେଇ ଆହ୍ୱାନ ଦେଇଛନ୍ତି । ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ସମଗ୍ର ଶିକ୍ଷା ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ଯୋଗାଣ ନିମନ୍ତେ ବ୍ଲକସ୍ତରୀୟ ଚିହ୍ନଟ ଶିବିର ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ । ବଲାଙ୍ଗିର ସମଗ୍ର ଶିକ୍ଷା ଅର୍ନ୍ତନିବେଶୀ ଶିକ୍ଷା ସଂଯୋଜକ ପ୍ରଶାନ୍ତ ସରାଫ, ନିରତାର ବଲାଙ୍ଗିର ଶାଖାର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ବିଶେଷଜ୍ଞ ଡଃ. ସୁରେନ୍ଦ୍ର ଭୋଇ, ଡଃ. ସୁରଜ କୁମାର ବଡଜେନା, ଅଧ୍ୟାପକ ବଳଭଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । କଟାପାଲି ସ୍କୁଲ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ସରାପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିବିରରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ, ଶ୍ରବଣ ବାଧିତ, ମାନସିକ ଅନଗ୍ରସର, ମସ୍ତିଷ୍କ ପକ୍ଷାଘାତ ଆଦି ରୋଗରେ ଆକ୍ରାନ୍ତ ୮୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଚିକିତ୍ସା ଦିଆଯିବା ସହିତ ସେମାନଙ୍କୁ ଉପକରଣ ବଣ୍ଟାଯିବ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ । ବିଆର୍‌ଟି ଗୋକୁଳ ପଧାନଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରକୁ ଦୁଷ୍ମନ୍ତ ଷାଣ୍ଢ ଆଇଇଏଭି, ଶିକ୍ଷୟିତ୍ରୀ ମନୋରମା ନାଏକ, ଶିକ୍ଷକ ତୁଳାରାମ ସୁନା, ସୌମ୍ୟାଶ୍ରୀ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସିଆର୍‌ସିସି ମିତ୍ରଭାନୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.