jayashree

ମାଲକାନଗିରିରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ପ୍ରଶିକ୍ଷଣ ଶିବିର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ସଂଯୋଜନା (ଡିପିଏମୟୁ) ବିଭାଗର ମିଳିତ ଆନୁକୂଲ୍ୟରେ ‘ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ’ ବିଷୟ ବସ୍ତୁକୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସେହିଭଳି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସହ ନିର୍ଦ୍ଦେଶକ ଶ୍ରୀମତୀ ଅଳକା ଜେନା, ଡିପିଏମୟୁର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଦୃଢ ତଦାରଖ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପଞ୍ଚାୟତ ସ୍ତରରେ ମାଇକ୍ରୋ ପ୍ଲାନିଂ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ସିଡିଓ ଶ୍ରୀ ସାହୁ ଉଲ୍ଲେଖ କରିଥିଲେ ଯେ ନିରନ୍ତର ବିକାଶର ଲକ୍ଷ୍ୟକୁ ପର୍ଯ୍ୟବେସିତ କରି ବ୍ଲକ ଉନ୍ନୟନ ଯୋଜନା ଓ ଗ୍ରାମ ପଞ୍ଚାୟତ ଯୋଜନା ପ୍ରସ୍ତୁତ ହେବା ଦରକାର । ଉପନିର୍ଦ୍ଦେଶକ ଶ୍ରୀ ଦଳେଇ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର କମ୍ୟୁନିକେସନ କନ୍‌ସଲଟାଣ୍ଟ, ସନ୍ତୋଷ ହେମ୍ବ୍ର, କୁମାର ବେହେରା ଏସଡିଜି କନସଲଟାଣ୍ଟ, ଭେଙ୍କେଟେଶ ନାଏକ, ଡଃ ରମେଶ ଚାଲାଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.